ସଂଜୟ ଦର୍ଶନ, ଦିଲୀପଙ୍କୁ ‘ଅତି ବିଶିଷ୍ଟ ସେବା ମେଡାଲ’

ନୂଆଦିଲ୍ଲୀ : ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଆ ସେନା ଅଧିକାରୀ (ଅବସରପ୍ରାପ୍ତ) ମେଜର ଜେନେରାଲ ସଂଜୟ ଦର୍ଶନ ବେହେରାଙ୍କୁ ମର୍ଯ୍ୟାଦାଜନକ ‘ଅତି ବିଶିଷ୍ଟ ସେବା’ ମେଡାଲ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ବେହେରା ରାଷ୍ଟ୍ରପତିଙ୍କ ଠାରୁ ପଦକ ଗ୍ରହଣ କରିଛନ୍ତି।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ଶ୍ରୀ ବେହେରାଙ୍କ ୨୦୨୦ରେ ସମ୍ମାନଜନକ ‘ଅତିବିଶିଷ୍ଟ ସେବା ମେଡାଲ’ ପାଇଁ ମନୋନୀତ କରାଯାଇଥିଲା। ବ୍ରହ୍ମପୁର ବାସିନ୍ଦା ଶ୍ରୀ ବେହେରାଙ୍କ ଭାରତୀୟ ସେନାରେ ୩୬ ବର୍ଷର ଅଭିଜ୍ଞତା ରହିଛି। ସେ ମିଲିଟାରି ହସ୍ପିଟାଲର କମାଣ୍ଡିଂ ଅଫିସର ରୂପେ ବେଶ୍‌ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରିଛନ୍ତି। ହସ୍ପିଟାଲ ପ୍ରଶାସନ ତଥା ସ୍ବାସ୍ଥ୍ୟ ପରିଚାଳନା ବ୍ୟାପାରରେ ତାଙ୍କର ଯଥେଷ୍ଟ ଯୋଗଦାନ ରହିଛି।

ସେହିଭଳି, ଭାରତୀୟ ବାୟୁସେନା ଇଷ୍ଟର୍ଣ୍ଣ ଏୟାର କମାଣ୍ଡ୍‌ର ଏୟାର୍‌ ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌ ଭାବେ କାର୍ଯ୍ୟରତ ଓଡ଼ିଆ ବାୟୁସେନା ଅଧିକାରୀ ଏୟାର୍‌ ମାର୍ସାଲ୍‌ ଦିଲୀପ କୁମାର ପଟ୍ଟନାୟକଙ୍କୁ ମଧ୍ୟ ଆଜି ରାଷ୍ଟ୍ରପତି ସମ୍ମାନଜନକ ‘ଅତି ବିଶିଷ୍ଟ ସେବା ମେଡାଲ୍‌ (ଏବିଏମ୍‌ଏମ୍‌) ପ୍ରଦାନ କରିଛନ୍ତି। ବାୟୁସେନାର ଜଣେ ଅତି ସଫଳ ଅଫିସର ଭାବେ ତାଙ୍କୁ ୨୦୨୦ରେ ବିଶିଷ୍ଟ ସେବା ମେଡାଲ ପ୍ରଦାନ ପାଇଁ ମଧ୍ୟ ମନୋନୀତ କରାଯାଇଥିଲା।

ଏୟାର୍‌ ମାର୍ସାଲ୍‌ ଶ୍ରୀ ପଟ୍ଟନାୟକ ୧୯୯୯ କାର୍ଗିଲ ଯୁଦ୍ଧରେ ଲଢ଼ୁଆ ଯୁଦ୍ଧ ବିମାନ ମିରାଜ୍‌କୁ ରାତିରେ ଉଡ଼ାଇ ଟାଇଗର୍‌ ହିଲ୍‌ ଉପରେ ଲେଜର୍‌ ଗାଇଡେଡ୍ ବୋମା ବର୍ଷଣ କରି ଅସୀମ ବୀରତ୍ବ ପ୍ରଦର୍ଶନ କରିଥିଲେ। ଏଥିପାଇଁ ତାଙ୍କୁ ବାୟୁସେନା ମେଡାଲ ପ୍ରଦାନ କରାଯାଇଥିଲା। ତାଙ୍କର ୨୫୦୦ ଘଣ୍ଟାରୁ ଉର୍ଦ୍ଧ୍ବ ବିମାନ ଉଡ଼ାଣର ଅଭିଜ୍ଞତା ରହିଛି। ଗତ ମାସ ୩ରେ ଇ‌ଷ୍ଟର୍ଣ୍ଣ ଏୟାର କମାଣ୍ଡ ମୁ୍‌ଖ୍ୟ ଭାବେ ସେ ଦାୟିତ୍ବ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର