ଅମଲାତନ୍ତ୍ରିକ ପୁନର୍ବିନ୍ୟାସ, ସୂଚନା ଓ ପ୍ରସାରଣକୁ ଫେରିଲେ ଅମିତ ଖରେ

ମୁଖ୍ୟ ଭିଜିଲାନ୍ସ କମିସନର ଭାବେ ଶପଥ ନେ‌ଲେ ସଂଜୟ କୋଠାରୀ

ନୂଆଦିଲ୍ଲୀ: କରୋନାଭୂତାଣୁ ସଂକଟ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଅମଲାତନ୍ତ୍ରିକ ପୁନର୍ବିନ୍ୟାସ କରିଛନ୍ତି। ଏହି କ୍ରମରେ ୧୯୮୫ ବ୍ୟାଚ୍‌ ଝାଡ଼ଖଣ୍ଡ କ୍ୟାଡର ଅଧିକାରୀ ଅମିତ ଖରେ ସଚିବ ରୂପେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଫେରିଛନ୍ତି। ସ୍ୱାସ୍ଥ୍ୟ ସଚିବ ରୂପେ ପ୍ରୀତି ସୂଦନଙ୍କ ଦାୟିତ୍ୱକୁ ୩ ମାସ ସଂପ୍ରସାରିତ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ତରୁଣ ବଜାଜଙ୍କୁ ଆର୍ଥନୀତିକ ବ୍ୟାପାର ବିଭାଗର ସଚିବ ରୂପେ ଅବସ୍ଥାପିତ କରାଯାଇଛି। ସାଂପ୍ରତିକ ସ୍ଥିତିରେ ମୁଦ୍ରଣ ଓ ଟିଭି ମାଧ୍ୟମ ତଥା ବିଜ୍ଞାପନ ଓ ଚଳଚ୍ଚିତ୍ର ଶିଳ୍ପର ସଂକଟ ଦୂରୀକରଣ ଆଦି ପାଇଁ ଅମିତ ଖରେଙ୍କୁ ପୁଣି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଅଣାଯାଇଛି, ଯିଏକି ମାନବସମ୍ବଳ ବିକାଶ ମନ୍ତ୍ରାଳୟରେ ଉଚ୍ଚଶିକ୍ଷା ସଚିବ ଥିଲେ। ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରେ ଥିବା ବେଳେ ସବୁପ୍ରକାର ସମସ୍ୟା ସହିତ ବେଶ୍‌ ପରିଚିତ ଥିଲେ। ତାଙ୍କର ବଦଳି ହେବା ପରେ ବିଦ୍ୟାଳୟ ସମୂହର ସଚିବ ଅନୀତା କରୱାଲଙ୍କୁ ସେହି ଦାୟିତ୍ୱ ଦିଆଯାଇଛି, ଯିଏକି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଚେୟାରପର୍ସନ ଅଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅତିରିକ୍ତ ସଚିବ ଅରବିନ୍ଦ କୁମାର ଶର୍ମାଙ୍କୁ ଅଣୁ-କ୍ଷୁଦ୍ର-ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟର ସଚିବ ରୂପେ ଅବସ୍ଥାପିତ କରାଯାଇଛି। ଗ୍ରାମ ଉନ୍ନୟନ ସଚିବ ଥିବା ରାଜେଶ ଭୂଷଣଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଓଏସ୍‌ଡି ଦାୟିତ୍ୱରେ ପୁନଃଅବସ୍ଥାପିତ କରାଯାଇଛି।

ସେ ପ୍ରୀତି ସୂଦନଙ୍କ ସଂପ୍ରସାରିତ କାର୍ଯ୍ୟକାଳ ପରେ ସେହି ପଦବୀରେ କାର୍ଯ୍ୟ କରିବେ। ଦିଲ୍ଲୀ ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ତରୁଣ କାପୁର, ପେଟ୍ରୋଲିୟମ ସଚିବ ଭାବେ ଦାୟିତ୍ୱ ନେବେ। ପ୍ରତିରକ୍ଷା ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ତଥା ମହାନିର୍ଦେଶକ (ଅଧିଗ୍ରହଣ) ରୂପେ ଅପୂର୍ବ ଚନ୍ଦ୍ର ଦାୟିତ୍ୱ ନେବେ। ଆନନ୍ଦ କୁମାର ଯିଏକି ୧୯୮୪ ବ୍ୟାଚ୍‌ କେରଳ କ୍ୟାଡ଼ର ଅଧିକାରୀ, ସେ ନୂଆ ଓ ଅକ୍ଷୟ ଶକ୍ତି ବିଭାଗରୁ ସଂସ୍କୃତି ବିଭାଗର ମୁଖ୍ୟ ରୂପେ ବଦଳି ହୋଇଛନ୍ତି। ୧୯୮୭ ବ୍ୟାଚ୍‌ ଗୁଜରାଟ କ୍ୟାଡର ଅଧିକାରୀ ରାମେଶ୍ୱର ପ୍ରସାଦ ଗୁପ୍ତା ହୋଇଛନ୍ତି ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ସଚିବ। କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଥିବା ୧୯୮୭ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଅଧିକାରୀ ରାଜେଶ ବର୍ମା ହୋଇଛନ୍ତି କମ୍ପାନି ବ୍ୟାପାର ମନ୍ତ୍ରାଳୟର ସଚିବ। ସ୍ୱରାଷ୍ଟ୍ର ମନ୍ତ୍ରାଳୟର ସୀମା ପରିଚାଳନା ବିଭାଗର ସଚିବ ଥିବା ନଗେନ୍ଦ୍ରନାଥ ସିହ୍ନା ହୋଇଛନ୍ତି ଗ୍ରାମ ଉନ୍ନୟନ ବିଭାଗ ସଚିବ। କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ଜାମ୍ମୁ-କାଶ୍ମୀର କ୍ୟାଡର ୧୯୮୭ ବ୍ୟାଚ୍‌ର ଅଧିକାରୀ ପ୍ରଦୀପ କୁମାର ତ୍ରିପାଠୀ ହେବେ ଇସ୍ପାତ ମନ୍ତ୍ରାଳୟର ସଚିବ।

ମୁଖ୍ୟ ଭିଜିଲାନ୍ସ କମିସନର ଭାବେ ଶପଥ ନେ‌ଲେ ସଂଜୟ କୋଠାରୀ
ନୂଆଦିଲ୍ଲୀ: ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ସଂଜୟ କୋଠାରୀ ଗତକାଲି ମୁଖ୍ୟ ଭିଜିଲାନ୍ସ କମିସନର ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଠାରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ହରିୟାଣା କାଡରର ୧୯୭୮ ବ୍ୟାଚ୍‌ (ଅବସରପ୍ରାପ୍ତ) ଆଇଏଏସ୍‌ ଅଧିକାରୀ କୋଠାରୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ ଅଂଶଗ୍ରହଣକାରୀ କୋଭିଡ୍‌-୧୯ ପ୍ରୋଟକଲ୍‌ର ଅନୁପାଳନ କରିଥିଲେ। କୋଠାରୀଙ୍କୁ ମିଳିଥିବା ନୂଆ ଦାୟିତ୍ବ ପୂର୍ବରୁ ସେ ରାଷ୍ଟ୍ରପତିଙ୍କ ସଚିବ ଥିଲେ।

ସମ୍ବନ୍ଧିତ ଖବର