ନୂଆଦିଲ୍ଲୀ: ସଞ୍ଜୟ ମାଲହୋତ୍ରା ହେବେ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର । ତାଙ୍କର କାର୍ଯ୍ୟକାଳ ଆସନ୍ତା ୩ ବର୍ଷ ପାଇଁ ରହିବ। ସେ ବର୍ତ୍ତମାନର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେବେ। ଡିସେମ୍ବର ୧୦ରେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେଉଛି । ଆର୍ଥିକ ସେବା ବିଭାଗ (ଡିଏଫ୍ଏସ୍) ଥିବା ସଚିବ ସଞ୍ଜୟ ମାଲହୋତ୍ରାଙ୍କୁ ୨୦୨୨ରେ କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ)ର ନିର୍ଦ୍ଦେଶକ ଭାବେ ମନୋନୀତ କରିଥିଲେ।

Advertisment

ସଞ୍ଜୟ ମାଲହୋତ୍ରା ହେଉଛନ୍ତି ରାଜସ୍ଥାନ କ୍ୟାଡରର ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ନଭେମ୍ବର ୨୦୨୦ରେ ସେ ଆରଇସିର ଅଧ୍ୟକ୍ଷ ଓ ଏମଡି ହୋଇଥିଲେ। ଏହା ପୂର୍ବରୁ ସେ ଶକ୍ତି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସଞ୍ଜୟ ମାଲହୋତ୍ରା ଆଇଆଇଟି କାନପୁରରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ଏହା ସହିତ ସେ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଗତ ୩୦ ବର୍ଷ ଧରି ମାଲହୋତ୍ରା ଶକ୍ତି, ଅର୍ଥ, ଟିକସ, ଆଇଟି ଏବଂ ଖଣି ଭଳି ବିଭାଗରେ କାର୍ଯ୍ୟ କରିଛନ୍ତି।
ଉର୍ଜିତ ପଟେଲଙ୍କ ହଠାତ୍ ଇସ୍ତଫା ପରେ ଶକ୍ତିକାନ୍ତ ଦାସ ୬ ବର୍ଷ ତଳେ ଆରବିଆଇ ଗଭର୍ଣ୍ଣର ଦାୟିତ୍ୱ ଗ୍ରହଣ କରିଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଦେଶରେ କୋଭିଡ୍ ସମସ୍ୟା ଏବଂ ପରବର୍ତ୍ତୀ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।