ମୁମ୍ବାଇ: ଶେଷରେ ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ମହାରାଷ୍ଟ୍ରର ବରିଷ୍ଠ ନେତା ସଞ୍ଜୟ ନିରୁପମ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି | କଂଗ୍ରେସ ଦଳରୁ ବହିଷ୍କୃତ ହେବା ପରେ ସଞ୍ଜୟ ନିରୁପମ୍ ପ୍ରାୟ ଦୁଇ ଦଶନ୍ଧି ପରେ ଶିବସେନାକୁ ଫେରିଛନ୍ତି। ଶିବସେନାରେ ଯୋଗ ଦେବା ପରେ ସଞ୍ଜୟ ନିରୁପମ୍ କହିଛନ୍ତି, ମୁଁ ପୂରା ଦଳଵଳ ନେଇ ଶିବସେନାକୁ ଆସିଛି। ଲୋକସଭା ନିର୍ବାଚନରେ ମହାଯୂତୀ ପ୍ରାର୍ଥୀମାନେ ଜିତିବେ । ଉଲ୍ଲେଖ ଥାଉ କି ସଞ୍ଜୟ ନିରୁପମ୍ ମୁମ୍ବାଇର ଉତ୍ତର-ପଶ୍ଚିମ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ତେବେ ଶିବସେନା(ୟୁବିଟି) ଏହି ଆସନରୁ ଆମୋଲ କାର୍ତ୍ତିକରଙ୍କୁ ପ୍ରାର୍ଥୀ କରିଥିଲା । ଆମୋଲ କାର୍ତ୍ତିକର ହେଉଛନ୍ତି ଶିବସେନା ସାଂସଦ ଗଜାନନ କାର୍ତ୍ତିକରଙ୍କ ପୁଅ ।
ଏହାପୂର୍ବରୁ ସଞ୍ଜୟ ନିରୁପମ୍ କଂଗ୍ରେସକୁ ଏକ ଚେତାବନୀ ଦେଇଥିଲେ ଏବଂ କହିଥିଲେ ଯେ ଯଦି ଏହି ନିଷ୍ପତ୍ତି ପ୍ରତ୍ୟାହାର ନହୁଏ ତେବେ ସମସ୍ତ ବିକଳ୍ପ ତାଙ୍କ ପାଇଁ ଖୋଲା ଅଛି | ସେ ଚେତାବନୀ ଦେଇଥିଲେ ଯେ ଶିବସେନା ସହ ମେଣ୍ଟ କଂଗ୍ରେସ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେଉଛି | ସଞ୍ଜୟ ନିରୁପମ୍ କହିଥିଲେ ଯେ କଂଗ୍ରେସ ଦଳର ସହଯୋଗୀ ତାଙ୍କ ଦଳର ସମର୍ଥନ ବିନା ମହାରାଷ୍ଟ୍ରରେ ଗୋଟିଏ ବି ଆସନ ଜିତିବା ସ୍ଥିତିରେ ନାହିଁ। ତେବେ କଂଗ୍ରେସ କୌଣସି ନିଷ୍ପତ୍ତି ନ ନେବାରୁ ସେ ଇସ୍ତଫା ଦେଇଥିଲେ | ଆଉ ଆଜି ସେ ଏକନାଥଙ୍କ ଶିବସେନାରେ ଯୋଗ ଦେଇଛନ୍ତି |