ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୁଲିସ କମିଶନର ସଞ୍ଜୟ ପାଣ୍ଡେ ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ତାଙ୍କୁ ଏନଏସଇ ଫୋନ୍ ଟ୍ୟାପିଂ ମାମଲାରେ ଗିରଫ କରାଯାଇଥିଲା। ପାଣ୍ଡେ କହିଛନ୍ତି, ମୁଁ ଅନେକ ହାଇ ପ୍ରୋଫାଇଲ୍ ଏବଂ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ମାମଲା ଅନୁସନ୍ଧାନ କରିଛି। ମୁଁ ଜାଣେ ସଚ୍ଚୋଟ କର୍ତ୍ତବ୍ୟ ବଦଳରେ ଏହା ଏକ ରାଜନୈତିକ ଷଡଯନ୍ତ୍ର, ଯାହା ମୋ ବିରୁଦ୍ଧରେ କରାଯାଇଛି। ପାଣ୍ଡେ କହିଛନ୍ତି, ୨୦୦୯ ରୁ ୨୦୧୭ ମଧ୍ୟରେ ଏହି ଅପରାଧ ହୋଇଛି ବୋଲି କୁହାଯାଉଛି। ତେବେ ଏହାର ଅନୁସନ୍ଧାନ ବର୍ତ୍ତମାନ ୨୦୨୨ ମସିହାରେ କରାଯାଉଛି। ଖାଲି ସେତିକି ନୁହେଁ ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଷଡଯନ୍ତ୍ର।

Advertisment

ପାଣ୍ଡେଙ୍କ ଜାମିନ ଆବେଦନପତ୍ରରେ ଦର୍ଶାଯାଇଛି ଯେ ଯେଉଁ ଘଟଣା ପାଇଁ ତାଙ୍କୁ ଗିରଫ କରାଯାଇଛି ତାହା ଆଜିକୁ ଠିକ ୧୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଏବଂ ପାଞ୍ଚ ବର୍ଷ ପୂର୍ବେ ଶେଷ ହୋଇଥିଲା। ସଞ୍ଜୟ ପାଣ୍ଡେଙ୍କ ତରଫରୁ ତାଙ୍କ ଓକିଲ ଆଦିତ୍ୟ ୱାଡୱା ଏବଂ ଓକିଲ ସିଦ୍ଧାର୍ଥ ସୁନୀଲ ଜାମିନ ଆବେଦନ କରିଛନ୍ତି। ଜାମିନ ଆବେଦନ ସମ୍ପର୍କରେ ଦିଲ୍ଲୀ କୋର୍ଟ ଇଡିକୁ ନୋଟିସ ଜାରି କରିଛନ୍ତି। ଫୋନ ଟ୍ୟାପିଂ ମାମଲାରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଇଡି ଗିରଫ କରିଥିଲା।

ସେ ବେଆଇନ ଭାବେ ଏନଏସଇ(ନ୍ୟାସନାଲ ଷ୍ଟକ ଏକ୍ସଚେଂଜ) କର୍ମଚାରୀଙ୍କ କଲ୍ ରେକର୍ଡ କରିଥିବା ଅଭିଯୋଗ ହୋଇଥିଲା । ପାଣ୍ଡେ ଜୁନ୍ ୩୦ ରେ ଅବସର ନେଇଥିଲେ। ସେ ୨୦୦୯ ରୁ ୨୦୧୭ ମଧ୍ୟରେ ଏନଏସଇ କର୍ମଚାରୀଙ୍କ ଫୋନ୍ କଲ ରେକର୍ଡ କରିଥିବା ଅଭିଯୋଗ ହୋଇଥିଲା। ତେବେ ତାଙ୍କୁ ଅଗଷ୍ଟ ୨ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଯାଇଛି।