‘ଯୋଗୀଙ୍କୁ ଲଣ୍ଡା କହିଥିବା ଲୋକ ଏବେ ପ୍ରଶଂସା କରୁଛନ୍ତି’

ମୁମ୍ବାଇ: ମସଜିଦରେ ଲାଉଡ଼ସ୍ପିକର ବ୍ୟବହାରକୁ ନେଇ ଉଠିଥିବା ପ୍ରସଙ୍ଗ ଏବେ ରାଜନୀତି ବୟାନବାଜିରେ ପରିଣତ ହୋଇଛି | ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା ସହ ମସଜିଦରେ ଲାଉଡ଼ସ୍ପିକର ବ୍ୟବହାରକୁ ନେଇ ଏମଏନଏସ(ମହାରାଷ୍ଟ୍ର ନବନିର୍ମାଣ ସେନା) ମୁଖ୍ୟ ରାଜ୍ୟ ସରକାରଙ୍କୁ ଚୂଡାନ୍ତ ଚେତାବନୀ ଦେଇଥିଲେ | ଆଉ ଏବେ ଏସବୁ ପ୍ରସଙ୍ଗରେ ଶିବସେନା ସାଂସଦ ସଞ୍ଜୟ ରାଓତ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ରାଓତ କହିଛନ୍ତି ଯେ ରାଜ ଠାକରେ ଦିନେ ଯୋଗୀ ଆଦିତ୍ୟନାଥଙ୍କୁ କଟାକ୍ଷ କରିଥିଲେ |

ଯୋଗୀ କାହିଁକି ଲଣ୍ଡା ହୋଇଛନ୍ତି ବୋଲି ପ୍ରଶ୍ନ କରି ତାଛଲ୍ୟ କରିଥିଲେ, କିନ୍ତୁ ବର୍ତ୍ତମାନ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି। ଶିବସେନା ସାଂସଦ ସଞ୍ଜୟ ରାଓତ କହିଛନ୍ତି ଯେ ମହାରାଷ୍ଟ୍ରରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ସୁଚିନ୍ତିତ ପ୍ରୟାସ କରାଯାଉଥିଲେ ବି ସେମାନେ କିନ୍ତୁ ସଫଳ ହେବେ ନାହିଁ |

ସୂଚନା ଥାଉ କି ଏମଏନଏସ ମୁଖ୍ୟ ରାଜ ଠାକରେ ମରାଠୀ ଏବଂ ଇଂରାଜୀରେ ଟ୍ୱିଟରରେ ଲେଖିଥିଲେ ଯେ, ‘ମୁଁ ଯୋଗୀ ସରକାରଙ୍କୁ ଧାର୍ମିକ ସ୍ଥାନରୁ ବିଶେଷ କରି ମସଜିଦରୁ ଲାଉଡସ୍ପିକର ହଟାଇଥିବାରୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଦୁର୍ଭାଗ୍ୟବଶତଃ ମହାରାଷ୍ଟ୍ରରେ କୌଣସି ‘ଯୋଗୀ’ ନାହାନ୍ତି, ବରଂ ଆମର ଭୋଗୀ ଅଛନ୍ତି | ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଭୋଗୀଙ୍କୁ କିଛି ସଦବୁଦ୍ଧି ଦିଅନ୍ତୁ’ | ଆଉ ଏହି ପ୍ରଶଂସାକୁ ସହଜରେ ହଜମ କରିପାରିନାହିଁ ଶିବସେନା | ସୂଚନାଯୋଗ୍ୟ ଯେ ରାଜ ଠାକରେ ସମଗ୍ର ଦେଶରେ ଲାଉଡସ୍ପିକରକୁ ନେଇ ଉଠିଥିବା ପ୍ରସଙ୍ଗ ଆରମ୍ଭ କରିଥିଲେ। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମସଜିଦରୁ ଲାଉଡସ୍ପିକର ହଟାଇବାକୁ କହିଥିଲେ ଏବଂ ଏଥିପାଇଁ ମେ ୨ ପର୍ଯ୍ୟନ୍ତ ସମୟ ଦେଇଥିଲେ।

ସମ୍ବନ୍ଧିତ ଖବର