ମୁମ୍ବାଇ : କେତେଜଣ ପୂର୍ବତନ ବିଚାରପତିଙ୍କୁ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ‘ଆଣ୍ଟି-ଇଣ୍ଡିଆ ଗ୍ୟାଙ୍ଗ୍’ (ଭାରତ ବିରୋଧୀ ଗୋଷ୍ଠୀ) ବୋଲି କହିଥିବାରୁ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଏହାର କଡ଼ା ସମାଲୋଚନା କରିଛନ୍ତି। ସରକାରଙ୍କୁ ସମାଲୋଚନା କରିବା ମାନେ ନୁହେଁ ଦେଶ-ବିରୋଧୀ ହେବା। ବରଂ ଆଇନମନ୍ତ୍ରୀ ପୂର୍ବତନ ବିଚାରପତିଙ୍କୁ ‘ଆଣ୍ଟି-ଇଣ୍ଡିଆ ଗ୍ୟାଙ୍ଗ୍’ କହି ବିଚାର ବିଭାଗ ଉପରେ ଚାପ ସୃ‌ଷ୍ଟି କରିବା ସହ ବିଚାରପତିମାନଙ୍କୁ ଧମକ ଦେଉଛନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି।

Advertisment

ଏହା କି ପ୍ରକାର ଗଣତନ୍ତ୍ର? ଜଣେ ଆଇନ ମନ୍ତ୍ରୀ ନ୍ୟାୟପାଳିକାକୁ ଧମକ ଦେବା କ’ଣ ଠିକ୍? ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନ ଥିବା ବିଚାରପତିମାନଙ୍କୁ ଧମକ ଦେବ? ସରକାର ଏହାଦ୍ବାରା ନ୍ୟାୟପାଳିକା ଉପରେ ଚାପ ସୃଷ୍ଟି କରିବାକୁ ଚାହୁଛନ୍ତି ବୋଲି ସେ କହିଛନ୍ତି। ରିଜିଜୁ ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ରେ ‌ଯୋଗଦେଇ କହିଥିଲେ ଯେ କେତେଜଣ ପୂର୍ବତନ ବିଚାରପତି ଓ କେତେକ ସାମାଜିକ କାର୍ଯ୍ୟକର୍ତ୍ତା ହେଉଛନ୍ତି ଭାରତ-ବିରୋଧୀ ଗ୍ୟାଙ୍ଗ୍‌ର ଅଂଶ। ଏମାନେ ନ୍ୟାୟପାଳିକାକୁ ବିରୋଧୀ ଦଳର ଭୂମିକା ନିଭାଇବାକୁ ପ୍ରଚୋଦିତ କରୁଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧିଙ୍କ ଲଣ୍ଡନ ଭାଷଣ ଉପରେ ରାଉତ କହିଛନ୍ତି, ଭାରତର ଗଣତନ୍ତ୍ର ବିପଦରେ ବୋଲି ରାହୁଲ ବିଦେଶରେ କହିବାରୁ ତାଙ୍କୁ ବର୍ତ୍ତମାନ ଲୋକସଭାରୁ ନିଲମ୍ବିତ କରିବା ପାଇଁ ଚେଷ୍ଟା ଚାଲିଛି। ତାଙ୍କୁ ଲୋକସଭାରେ କ୍ଷମା ମାଗିବା ପାଇଁ ବାଧ୍ୟ କରାଯାଉଛି। ରାହୁଲ ଗାନ୍ଧି କ୍ଷମା ମାଗିବେ ନାହିଁ, ସେ କାହିଁକି କ୍ଷମା ମାଗିବେ? ସେ କିଛି ଭୁଲ୍ କହିନାହାନ୍ତି। ବରଂ ବିଜେପି ନେତାମାନେ ବିଦେଶରେ ଭାରତ ବିରୋଧରେ କହିଛନ୍ତି ବୋଲି ସଞ୍ଜୟ ରାଉତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।