ହସ୍ପିଟାଲ୍‌ରୁ ଘରକୁ ଫେରି ଶି‌ବସେନା ସାଂସଦ ସଞ୍ଜୟ ରାଉତ କହିଲେ ମହାରାଷ୍ଟ୍ରରେ ସରକାର ତାଙ୍କ ଦଳ ହିଁ ଗଢ଼ିବ

ମୁମ୍ବାଇ: ଅସୁସ୍ଥ ହୋଇ  ମୁମ୍ବାଇର ଲୀଲାବତୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଶିବସେନା ସାଂସଦ ସଞ୍ଜୟ ରାଉତ ବୁଧବାର ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ସଞ୍ଜୟ ସୁସ୍ଥ ହେବା ପରେ ତାଙ୍କ ବୟାନ ଦେଇ କହିଛନ୍ତି ଯେ ମହାରାଷ୍ଟ୍ରରେ ସରକାର ତାଙ୍କ ଦଳ ହିଁ ଗଠନ କରିବ। ସୋମବାର ଦିନ ସଞ୍ଜୟଙ୍କ ଛାତିରେ ଯନ୍ତ୍ରଣା ହେବାକୁ ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଇଥିଲା।

ଏଏନ୍‌ଆଇ ପକ୍ଷରୁ ହୋଇଥିବା ଏ ଟ୍ବିଟ୍‌ ମୁତାବକ, ରାଉତ ବାରମ୍ବାର ଏହି କଥା ଦୋହରାଇଛନ୍ତି ଯେ ମହାରାଷ୍ଟ୍ରରେ ସରକାର ତାଙ୍କ ଦଳ ହିଁ ଗଠନ କରିବ। ମଙ୍ଗଳବାର ଶିବସେନାର ଏହି ବରିିଷ୍ଠ ନେତା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ତାଙ୍କୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ, ବାଲା‌ସାହେବ ଥୋରଟ, ମନୋହର ଜୋଶୀ, ଏନ୍‌ସିପି ମୁଖ୍ୟ ସରଦ ପାୱାର, ଆଦି ଶୀର୍ଷ ସ୍ତରୀୟ ନେତା ଭେଟିଥିଲେ।

ନିକଟରେ ସଞ୍ଜୟଙ୍କ  ସାନଭାଇ ସୁନୀଲ ରାଉତ ଗଣମାଧ୍ୟମରେ କହିଥିଲେ ଯେ ପ୍ରାୟ ୧୫ ଦିନ ହେବ ତାଙ୍କ ଭାଇଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା। କିଛି ଦିନ ମୁମ୍ବାଇ ହସ୍ପିଟାଲ୍‌ରେ ତାଙ୍କୁ ଦେଖାଇବା ପରେ ଔଷଧ ଦିଆଯାଉଥିଲା। ଉଳ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ‌ନିଷ୍ପତ୍ତି ହୋଇନପାରିବା କାରଣରୁ ଗତକାଲିଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।

 

ସମ୍ବନ୍ଧିତ ଖବର