ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଚଳାବସ୍ଥା ଜାରି, ରାଜ୍ୟପାଳଙ୍କୁ ଭେଟିଲେ ଶିବସେନା ନେତା ସଂଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ସରକାର ଗଠନକୁ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି । ବିଜେପି ସରକାର ଗଠନ ଲାଗି ଆଶାବାଦୀ ଥିବାବେଳେ ଆଜି ଅପରାହ୍ଣ ୫ଟା ବେଳେ ଶିବସେନା ନେତା ସଂଜୟ ରାଉତ ଓ ରାମଦାସ କଦମ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋସ୍ୟାରୀଙ୍କୁ ଭେଟିଛନ୍ତି ।

ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚାଲିଥିବା ଅଚଳାବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା ବୋଲି ରାଉତ ସାମ୍ବାଦିକମାନଙ୍କୁ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଯେଉଁ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ରହିଛି ସେ ସରକାର ଗଠନ କରିବାରେ କୌଣସି ଅସୁବିଧା ନାହିଁ । ଶିବସେନା କୌଣସି ଦଳର ସରକାର ଗଠନରେ ପ୍ରତିବନ୍ଧକ ସୃଷ୍ଟି କରୁନାହିଁ । ଶିବସେନା ଚାହୁଁଛି ଯଥାଶୀଘ୍ର ସରକାର ଗଠନ ହେଉ । ରାଜ୍ୟପାଳ ଓ ରାଜଭବନ ଏକ ସାମ୍ବିଧାନିକ ଓ ଅଣରାଜନୈତିକ ପଦ । ରାଜ୍ୟପାଳ ସରକାର ଗଠନ ପାଇଁ ଆବଶ୍ୟକ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବୀସ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିଛନ୍ତି । ଅନ୍ୟପକ୍ଷରେ ଏନସିପି ନେତା ଶରଦ ପାଓ୍ଵାର ମଧ୍ୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ।

ସମ୍ବନ୍ଧିତ ଖବର