ମୋଦୀଙ୍କ ଗାଁରେ ଜନ୍ମ ହୋଇଥିଲେ ଆଉରଙ୍ଗଜେବ, ବିବାଦୀୟ ବୟାନ ଦେଲେ ସଞ୍ଜୟ ରାଉତ

ମୁମ୍ବାଇ: ନିର୍ବାଚନ ରଣକ୍ଷେତ୍ରରେ ଏବେ ନେତାମାନେ ପରସ୍ପର ବିରୋଧରେ ବୟାନ ଦେବାରେ ଲାଗିପଡିଛନ୍ତି | ଏହାରି ଭିତରେ ଶିବସେନା ଉଦ୍ଧବ ଠାକରେ ଦଳର ନେତା ସଞ୍ଜୟ ରାଉତ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି | ମହାରାଷ୍ଟ୍ରର ଅହମ୍ମଦନଗରରେ ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ସେ କହିଥିଲେ, ‘ଆଉରଙ୍ଗଜେବ ନରେନ୍ଦ୍ର ମୋଦୀଙ୍କ ଗାଁରେ ଜନ୍ମଗ୍ରହଣ କରିଥିଲେ। ଇତିହାସକୁ ଦେଖନ୍ତୁ |ଅହମ୍ମଦାବାଦ ପାଖରେ ଦାହୋଦ ନାମକ ଏକ ଗାଁ ଅଛି | ଆଉରଙ୍ଗଜେବ ସେଠାରେ ଜନ୍ମଗ୍ରହଣ କରିଥିଲେ | ସେଥିପାଇଁ ଗୁଜୁରାଟରେ ସେ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ) ଆମକୁ ଆଉରଙ୍ଗଜେବଙ୍କ ପରି ବ୍ୟବହାର କରନ୍ତି।

ସଞ୍ଜୟ କହିଛନ୍ତି, ‘ମନେରଖନ୍ତୁ ଯେ ଆମେ ଏହି ମହାରାଷ୍ଟ୍ରରେ ଜଣେ ଆଉରଙ୍ଗଜେବଙ୍କୁ କବର ଦେଇଛୁ | ମହାରାଷ୍ଟ୍ର ଜିତିବା ପାଇଁ ସେହି ଆଉରଙ୍ଗଜେବ ୨୭ ବର୍ଷ ଧରି ସଂଗ୍ରାମ କରୁଥିଲେ ଏବଂ ଆମେ ସେହି ମହାରାଷ୍ଟ୍ରରେ ସେହି ଆଉରଙ୍ଗଜେବଙ୍କୁ କବର ଦେଇଛୁ, ତେବେ ନରେନ୍ଦ୍ର ମୋଦୀ କିଏ? ସଞ୍ଜୟ ରାଉତ ଏଠାରେ ଅଟକି ନାହାଁନ୍ତି, ସେ ଆହୁରି ମଧ୍ୟ କହିଛନ୍ତି, “ଏହା ମରାଠାମାନଙ୍କର ଇତିହାସ। ଏହା ହେଉଛି ମରାଠୀର ଇତିହାସ। ଆମେ ସମସ୍ତେ ମହାରାଷ୍ଟ୍ରର ଆତ୍ମ ସମ୍ମାନ ପାଇଁ ସଂଗ୍ରାମ ଜାରି ରଖିବା। ଛତ୍ରପତି ଶିବାଜୀ ମହାରାଜ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ। ତାହା ହେଉଛି ମହାରାଷ୍ଟ୍ରର ଇତିହାସ। ଆଉରଙ୍ଗଜେବଙ୍କ ଜନ୍ମ ଗୁଜୁରାଟରେ ହୋଇଥିଲା | ସେଠାକାର ମାଟି ଆଉରଙ୍ଗଜେବଙ୍କ ମାଟି |

ସେହି ମାଟିରୁ ଦୁଇ ବେପାରୀ(ନରେନ୍ଦ୍ର ମୋଦୀ ଓ ଅମିତ ଶାହା) ଆସିଛନ୍ତି | ଶିବସେନା (ୟୁବିଟି) ସାଂସଦ ଆହୁରି କହିଛନ୍ତି, “ଯଦି ଆମେ ଇତିହାସକୁ ଦେଖିବା, ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସେହି ଗାଁରେ ଜନ୍ମ ହୋଇଥିଲେ ଯେଉଁଠାରେ ଆଉରଙ୍ଗଜେବ ଜନ୍ମ ହୋଇଥିଲେ। ଯେହେତୁ ସେଠାରେ ସେ ଜନ୍ମ ହୋଇଥିଲେ ସେଥିପାଇଁ ସେହି ଲୋକମାନେ (ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହା) ମଧ୍ୟ ଆଉରଙ୍ଗଜେବଙ୍କ ପରି ଆଚରଣ କରନ୍ତି। ”

ସମ୍ବନ୍ଧିତ ଖବର