ନୂଆଦିଲ୍ଲୀ : ଦିଲ୍ଲୀର ନୂତନ ପୁଲିସ କମିଶନର ଭାବେ ସଞ୍ଜୟ ଆରୋରାଙ୍କୁ ନୂତନ ନିଯୁକ୍ତି ମିଳିଛି | ସଞ୍ଜୟ ଆରୋରା ଜଣେ ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ହୋଇଥିବାବେଳେ ଏ ସମ୍ପର୍କରେ ରବିବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି | ସଞ୍ଜୟ ଆରୋରା ପୂର୍ବରୁ ଆଇଟିବିପିର ମୁଖ୍ୟ ଥିଲେ। ସେ ରାକେଶ ଆସ୍ଥାନାଙ୍କ ସ୍ଥାନ ନେବେ। ଆଜି ରାକେଶ ତାଙ୍କ ପଦରୁ ଅବସର ନେଉଛନ୍ତି | ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଅଗଷ୍ଟ ୧ରେ ସଞ୍ଜୟ ଆରୋରା ରାକେଶ ଆସ୍ଥାନାଙ୍କ ସ୍ଥାନ ନେବେ।
ସଞ୍ଜୟ ଆରୋରା ଦିଲ୍ଲୀ ପୁଲିସର ୨୫ତମ କମିଶନର ହେବେ। ସଞ୍ଜୟ ଆରୋରା ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ କୋଏମ୍ବାଟୁର ସିଟି ପୁଲିସର କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହା ପରେ ସେ ଆଇଜି (ସ୍ପେଶାଲ ଅପରେସନ୍ସ) ବିଏସ୍ଏଫ୍, ଆଇଜି ଛତିଶଗଡ ସେକ୍ଟର ସିଆରପିଏଫ ଏବଂ ଆଇଜି ଅପରେସନ୍ ସିଆରପିଏଫ ଭାବରେ କାର୍ଯ୍ୟ କରିଛନ୍ତି।
ତାମିଲନାଡୁରେ ଟାସ୍କଫୋର୍ସର ପୁଲିସ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିବାବେଳେ ସେ କୁଖ୍ୟାତ ଚନ୍ଦନ କାଠ ଚୋରା ଚାଲାଣକାରୀ ଵୀରାପ୍ପାନ ଗ୍ୟାଙ୍ଗ ବିରୋଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଵୀରାପ୍ପାନ ବିରୋଧରେ ବୀରତା ପ୍ରଦର୍ଶନ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବୀରତା ପଦକ ପ୍ରଦାନ କରାଯାଇଥିଲା। ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆରୋରା ସିଆରପିଏଫ ଓ ବିଏସଏଫରେ ମଧ୍ୟ କାର୍ଯ୍ୟ କରିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/veee.jpg)