ନୂଆଦିଲ୍ଲୀ/ମୁ୍ମ୍ବାଇ: ମନିଲଣ୍ଡରିଂ ମାମଲାରେ ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମୁମ୍ବାଇର ସ୍ବତନ୍ତ୍ର କୋର୍ଟ ଅଗଷ୍ଟ ୪ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜତକୁ ପଠାଇଦେଇଛନ୍ତି। ଟଙ୍କା ହେରଫେର ନିରୋଧ ଆଇନ (ପିଏମ୍ଏଲ୍ଏ) ଅନୁଯାୟୀ ରାଉତଙ୍କୁ କୋର୍ଟରେ ହାଜର କରାଇବା ପରେ ଇଡି ତାଙ୍କୁ ୮ ଦିନ ହାଜତରେ ରଖିବା ପାଇଁ ଆବେଦନ କରିଥିଲା। କିନ୍ତୁ ସ୍ବତନ୍ତ୍ର କୋର୍ଟ ତାଙ୍କୁ ତିନିଦିନ ପାଇଁ ହାଜତକୁ ନେବାକୁ ଅନୁମତି ଦେଇଛନ୍ତି।
ମୁମ୍ବାଇରେ ଏକ ‘ଚାଳ’ (ଏକବଖରିଆ ଘର ଥିବା ବହୁତଳ କୋଠା) ପୁନର୍ବିକାଶ ସମ୍ପର୍କିତ ପ୍ରକଳ୍ପର ଅର୍ଥ ହେରଫେର ମାମଲାରେ ଶିବସେନା ସାଂସଦଙ୍କୁ ଇଡି ଜୁଲାଇ ୩୧ ମଧ୍ୟରାତ୍ରରେ ତାଙ୍କ ଘରେ ଚଢ଼ଉ ପରେ ଗିରଫ କରିଥିଲା। ଜମି ଦୁର୍ନୀତି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗତକାଲି ମଧ୍ୟରାତ୍ର ପରେ ଗିରଫ କରି ଆଜି ସକାଳେ ମୁମ୍ବାଇର ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ରାଉତଙ୍କ ରାତି-ଅଧିଆ ଗିରଫଦାରିକୁ ନେଇ ସେନାରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଇଡିର ମୁମ୍ବାଇ କାର୍ଯ୍ୟାଳୟ, କୋର୍ଟ ଏବଂ ହସ୍ପିଟାଲ (ଯେଉଁ ହସ୍ପିଟାଲକୁ ରାଉତଙ୍କୁ ଚେକ୍ଅପ୍ ପାଇଁ ନିଆଯାଇଥିଲା)ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ରାଉତଙ୍କୁ କୋର୍ଟ-କକ୍ଷକୁ ନିଆଯିବା ପୂର୍ବରୁ ମିଡ଼ିଆକୁ ରାଉତ କହିଥିଲେ ଯେ, ଶିବସେନାକୁ ଶେଷ କରିଦେବା ପାଇଁ ଏହା ହେଉଛି ଏକ ଷଡ଼୍ଯନ୍ତ୍ର।
ଶିବସେନା ପକ୍ଷରୁ ସଂସଦରେ ଏହି ପ୍ରସଙ୍ଗ ଉଠାଯାଇଛି। ଦଳର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କେନ୍ଦ୍ରୀୟ ତଦନ୍ତ ସଂସ୍ଥାଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟ ନେଇ ଅପବ୍ୟବହାର କରାଯାଉଥିବା ଅଭିଯୋଗ କରିବା ସହ ଏହା ଉପରେ ଆଲୋଚନା ପାଇଁ ଦାବି କରିଥିଲେ। କଂଗ୍ରେସ ନେତାମାନେ ମଧ୍ୟ ରାଉତଙ୍କ ସପକ୍ଷରେ କହିଥିଲେ। ସଞ୍ଜୟ ରାଉତ ହେଉଛନ୍ତି ଜଣେ ରାଜ୍ୟସଭା ସାଂସଦ ଏବଂ ଉଦ୍ଧବ ଠାକରେଙ୍କ ଦଳର ଜଣେ ପ୍ରମୁଖ ସଦସ୍ୟ। ଏକନାଥ ସିନ୍ଦେ ଗୋଷ୍ଠୀ ସହ ଲଢ଼େଇ ଭିତରେ ତାଙ୍କୁ ଇଡ଼ି ଦ୍ବାରା ଗିରଫ କରାଯାଇଛି। ଚାଳ ପୁନର୍ବିକାଶ ମାମଲାରେ ହୋଇଥିବା ଟଙ୍କା କାରବାରରେ ରାଉତଙ୍କ ସ୍ତ୍ରୀ ଓ ଘନିଷ୍ଠ ସହଯୋଗୀମାନେ ସମ୍ପୃକ୍ତ ଥିବା ଇଡି ସନ୍ଦେହ କରୁଥିବା ବେଳେ ଏହା ଉପରେ ତାଙ୍କୁ ଜେରା କରିବାକୁ ଚାହୁଛି। ତାଙ୍କୁ ହାଜର ପାଇଁ କୁହାଯାଇଥିଲେ ମଧ୍ୟ ସଂସଦ ଅଧିବେଶନ ଚାଲିଛି କହି ସେ ଏଡ଼ାଇ ଯାଇଥିଲେ। ଯଦି ସେ ନିରୀହ ଇଡି ଆଗରେ ହାଜର ହେବାକୁ କାହିଁକି ଡରୁଥିଲେ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି।
ସଂଜୟଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ଠାକ୍ରେ
ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଆଜି ଶିବସେନା ନେତା ସଂଜୟ ରାଉତଙ୍କ ପରିବାର ସଦସ୍ୟଙ୍କୁ ଭାଣ୍ଡୁପ ସ୍ଥିତ ବାସଭବନରେ ଭେଟିଛନ୍ତି। ମନି ଲଣ୍ଡରିଂ ମାମଲାରେ ଗତକାଲି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗିରଫ ହୋଇଥିବା ରାଉତଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ରାଉତଙ୍କ ପରିବାର ସଦସ୍ୟଙ୍କୁ ଭେଟିବାପରେ ଠାକରେ କହିଛନ୍ତି, ସଂଜୟ ରାଉତଙ୍କ ଗିରଫ ପଛରେ ପ୍ରତିଶୋଧମୂଳକ ରାଜନୀତି ଅଛି। ଯେଉଁମାନେ ପ୍ରତିଶୋଧମୂଳକ ରାଜନୀତି କରୁଛନ୍ତି ସେମାନଙ୍କ ଚିନ୍ତାଧାରା ହେଉଛି ସେମାନଙ୍କ ବିରୋଧରେ ଯେଉଁମାନେ ପାଟି ଖୋଲିବେ ସେମାନଙ୍କୁ ବାଟରୁ ହଟାଇ ଦେବେ। ରାଉତଙ୍କୁ ନେଇ ମୁଁ ଖୁବ୍ ଗର୍ବିତ। ପୁଷ୍ପାରେ ଏକ ଡାଏଲଗ୍ ଅଛି ‘ପୁଷ୍ପା- ଝୁକେଗା ନେହି’। ବାସ୍ତବ ଶିବସେନା ସଂଜୟ ରାଉତ କେବେ ନଇଁବେନି ବୋଲି ଠାକ୍ରେ ଆଜି ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପରେ କହିଛନ୍ତି।