ମୁମ୍ବାଇ: ନିର୍ବାଚନ କମିସନ୍‌ ଶୁକ୍ରବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀକୁ ବାସ୍ତବ ଶିବସେନାର ମାନ୍ୟତା ଦେଇଥିଲେ । ସିନ୍ଦେ ଗୋଷ୍ଠୀ ‘ଶିବସେନା’ ନାମ ଏବଂ ଦଳର ଧନୁ-ତୀର ଚିହ୍ନ ବ୍ୟବହାର କରିବାପାଇଁ ନିର୍ବାଚନ କମିସନ ଅନୁମତି ଦେଇଥିଲେ । ସିନ୍ଦେ ଗୋଷ୍ଠୀ ଏବଂ ଠାକ୍‌ରେ ଗୋଷ୍ଠୀ ମଧ୍ୟରୁ ବାସ୍ତବ ଶିବସେନା କିଏ ତାହା ନିର୍ଣ୍ଣୟ କରିବାପାଇଁ ସିନ୍ଦେ ଗୋଷ୍ଠୀ ପକ୍ଷରୁ ନିର୍ବାଚନ କମିସନ୍‌ଙ୍କ ନିକଟରେ ଆବେଦନ ହୋଇଥିଲା। ଆଉ ନିର୍ବାଚନ କମିସନ ଏନେଇ ନିର୍ଦ୍ଦେଶ ଜାରି କରି କହିଥିଲେ, ଆବେଦନକାରୀ ଗୋଷ୍ଠୀ ‘ଶିବସେନା’ ଦଳର ନାମ ଏବଂ ଦଳର ‘ଧନୁ ଏବଂ ତୀର’ ଚିହ୍ନ ବ୍ୟବହାର କରିବେ। ତେବେ ଏହାକୁ ନେଇ ନିର୍ବାଚନ କମିଶନଙ୍କୁ କଡା ଟାର୍ଗେଟ କରିଛନ୍ତି ଉଦ୍ଧବଙ୍କ ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତ | ରାଉତ କହିଛନ୍ତି ଯେ ନିର୍ବାଚନ ଆୟୋଗ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବରେ ମାନ୍ୟତା ଦେବା ଗଣତନ୍ତ୍ରର ହତ୍ୟା। ଏହା ବିରୋଧରେ ତାଙ୍କ ଦଳ ଲୋକଙ୍କ ପାଖକୁ ଯିବ। ରାଉତ ଆହୁରି କହିଛନ୍ତି, ଏହି ନିଷ୍ପତ୍ତି ନେଇ ରାଜନୈତିକ ପ୍ରତିଶୋଧ ନିଆଯାଇଛି | ଭୟ, ପ୍ରତିଶୋଧ ମାଧ୍ୟମରେ ଶିବସେନାକୁ ଶେଷ କରିବା ଏହାର ଉଦ୍ଦେଶ୍ୟ | ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ରାଉତ କହିଛନ୍ତି ଯେ ଶିବସେନାକୁ ଶେଷ କରିବା ପାଇଁ ନିର୍ବାଚନ ଆୟୋଗ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଶିବସେନାକୁ ନେଇ ସେ କହିଛନ୍ତି ଯେ ଏହି ଦଳର ବୟସ ୫୦ ବର୍ଷରୁ ଅଧିକ ଏବଂ ଏହାର କିଛି ବିଧାୟକ ଓ ସାଂସଦ ଦଳବଦଳ କରିଛନ୍ତି। ସେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଆଇନ, ସମ୍ବିଧାନ ଏବଂ ଲୋକଙ୍କ ଇଚ୍ଛାର ଉଲ୍ଲଂଘନ ବୋଲି କହିଛନ୍ତି। ରାଉତ କହିଛନ୍ତି ଯେ ଦଳ ଏବଂ ଲୋକମାନେ ଉଦ୍ଧବ ଠାକରେଙ୍କ ସହ ଅଛନ୍ତି ଏବଂ ଆଇନଗତ ଯୁଦ୍ଧ ଜାରି ରହିବ। ଉଲ୍ଲେଖଯୋଗ୍ୟ, ଏକନାଥ ସିନ୍ଦେ ଶିବସେନାରୁ ଓହରିଯାଇ ବିଜେପି ସମର୍ଥନରେ ସରକାର ଗଠନ କରିବାପରେ ଶିବସେନା ଦଳର ନାମ ଏବଂ ଦଳର ଚିହ୍ନ ପାଇଁ ଦାବି କରିଥିଲେ। ଠାକ୍‌‌ରେ ଗୋଷ୍ଠୀ ଏହାକୁ ଜୋରଦାର ବିରୋଧ କରିଥିଲେ। ଉଭୟ ଗୋଷ୍ଠୀ ନିଜକୁ ବାସ୍ତବ ଶିବ‌ସେନା ଦାବି କରିଥିଲେ। ତେବେ ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ ନିର୍ବାଚନ କମିସନ୍‌ ଅକ୍ଟୋବର ୨୦୨୨ରେ ଶିବସେନା ଦଳର ନାମ ଏବଂ ଏହାର ଚିହ୍ନକୁ ଅଚଳ କରିଦେଇଥିଲେ। କମିସନ୍‌ ଉଭୟ ଠାକ୍‌ରେ ଏବଂ ସିନ୍ଦେ ଗୋଷ୍ଠୀକୁ ପୃଥକ୍‌ ନାମ ଏବଂ ଚିହ୍ନ ଦେଇଥିଲେ।

ଉକ୍ତ ମାମଲାରେ ଗତ ଜାନୁଆରିରେ ଚୂଡ଼ାନ୍ତ ଶୁଣାଣି ହୋଇଥିଲା। ନିର୍ବାଚନ କମିସନ୍‌ ଆଜି ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ସିନ୍ଦେ ଗୋଷ୍ଠୀକୁ ପୂର୍ବରୁ ଦେଇଥିବା ‘ବାଲାସାହେବାଞ୍ଚି ଶିବସେନା’ ନାମ ଏବଂ ‘ ଦୁଇଟି ଖଣ୍ଡା ଏବଂ ଢାଲ’ ଚିହ୍ନକୁ ଅଚଳ କରିଦେଇଛନ୍ତି। ଅନ୍ୟପକ୍ଷେ ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ନାମ ‘ଶିବସେନା-ବାଲାସାହେବ ଠାକ୍‌ରେ’ ଏବଂ ଏହାର ଚିହ୍ନ ମଶାଲ ରଖାଯାଇଥିଲା। ତେବେ ଶୁକ୍ରବାର ସିନ୍ଦେ ଗୋଷ୍ଠୀ ‘ଶିବସେନା’ ନାମ ଏବଂ ଦଳର ଧନୁ-ତୀର ଚିହ୍ନ ବ୍ୟବହାର କରିବାପାଇଁ ନିର୍ବାଚନ କମିସନ ଅନୁମତି ଦେଇଥିଲେ |