ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଆସିବାର ପ୍ରାୟ ୧ ମାସ ବିତିଯାଇଥିଲେ ମଧ୍ୟ ସରକାର ଗଠନକୁ ନେଇ ଅନିଶ୍ଚିତତା ଜାରି ରହିଛି। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଶିବସେନା ଏବେ ଏନ୍ସିପି-କଂଗ୍ରେସ ସହିତ ମିଶି ସରକାର ଗଠନ ପାଇଁ ଆଶା ରଖିଛି। କିନ୍ତୁ ବିଗତ ୨୪ ଘଣ୍ଟା ମଧ୍ୟରେ ଏନ୍ସିପି ସୁପ୍ରିମୋ ଶରଦ ପାୱାର ସରକାର ଗଠନକୁ ନେଇ ଦେଇଥିବା ବୟାନ ଶିବସେନାର ଚିନ୍ତା ବଢ଼ାଇ ଦେଇଛି। ସରକାର ଗଠନକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଚର୍ଚ୍ଚା ହୋଇନାହିଁ ଏବଂ କଂଗ୍ରେସ ସହିତ ଏ ବାବଦରେ ସେ ଆଦୌ ଆଲୋଚନା କରିନାହାନ୍ତି ବୋଲି ପାୱାର ଗତକାଲି କହିଥିଲେ। ଆଜି ସଂସଦ ଭବନ ପରିସରରେ ସାମ୍ବାଦିକମାନେ ସରକାର ଗଠନ ନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ ଯେଉଁମାନେ ସରକାର ଗଠନ କରିବାର ଅଛି ସେମାନଙ୍କୁ ଏହି ପ୍ରଶ୍ନ କରାଯିବା ଆବଶ୍ୟକ। ରାଜ୍ୟରେ ଏବେ ବି ବିଜେପି-ଶିବସେନା ସରକାର ଗଠନ ନେଇ ସମ୍ଭାବନା ଥିବା ପାୱାର ପରୋକ୍ଷରେ ସୂଚନା ଦେଇଥିବାରୁ ଏହାକୁ ନେଇ ସରଗରମ ଆଲୋଚନା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ କଂଗ୍ରେସ-ଏନ୍ସିପି ସହିତ ମେଣ୍ଟ ସରକାର ଗଠନ ପାଇଁ ତତ୍ପରତା ଦେଖାଉଥିବା ଶିବସେନା ପାଇଁ ଏହା ଝଟ୍କା ହୋଇଛି। ଶିବସେନା ସରକାର ଗଠନ ପାଇଁ ପ୍ଲାନ୍ ‘ବି’ ସଂପର୍କରେ ମଧ୍ୟ ଚିନ୍ତା କରୁଛି ବୋଲି ପାୱାର ପରୋକ୍ଷରେ କହିଥିବାରୁ ଏହାକୁ ନେଇ କଂଗ୍ରେସରେ ମନ୍ଥନ ଜାରି ରହିଛି। ପାୱାରଙ୍କ ବୟାନ ପରେ ଏବେ ଶିବସେନା ନେତାମାନେ ଦ୍ବନ୍ଦ୍ବରେ ରହିଛନ୍ତି। ବିଜେପି ସହିତ ମେଣ୍ଟ କରି ସରକାର ଗଠନ ନିମନ୍ତେ ମଧ୍ୟ ଶିବସେନାରେ ସ୍ବର ଉଠିଲାଣି। ବିଜେପି ସହିତ ପୁଣି ଥରେ ଆଲୋଚନା ଆରମ୍ଭ କରିବାକୁ ଦଳର କେତେକ ନେତା ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।
ଆଜି ସଂସଦ ଭବନ ପରିସରରେ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ପାୱାର ଦେଇଥିବା ବୟାନ ସଂପର୍କରେ ଶିବସେନା ନେତା ସଂଜୟ ରାଉତଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯେ ଶରଦ ପାୱାରଙ୍କୁ ବୁଝିବା ପାଇଁ ୧୦୦ ଜନ୍ମ ଲାଗିଯିବ। ପାୱାରଙ୍କ ସହିତ ସେ ଏକ ପ୍ରତିନିଧି ଦଳରେ ଯାଇ ରାଜ୍ୟର କୃଷକଙ୍କ ସମସ୍ୟା ବାବଦରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟରେ ସରକାର ଗଠନ ହେବ ଏବଂ କୌଣସି ଦଳ ରାଷ୍ଟ୍ରପତି ଶାସନ ଲାଗୁ ହେବା ଚାହୁନାହାନ୍ତି ବୋଲି ରାଉତ କହିଛନ୍ତି। ଆଜି ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ କଂଗ୍ରେସ ଏବଂ ଏନ୍ସିପି ମଧ୍ୟରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଏ ବାବଦ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି। ଶିବସେନା ସହିତ ସରକାର ଗଠନ କରିବା କଂଗ୍ରେସ ପାଇଁ ମାରାତ୍ମକ ସାବ୍ୟସ୍ତ ହେବ ବୋଲି ଦଳର ବହୁ ନେତା ମତ ପ୍ରକାଶ କରିଥିବାରୁ କଂଗ୍ରେସ ଏ ଦିଗରେ ବେଶ୍ ସତର୍କତାର ସହ ଗୋଟି ଚାଳନା କରୁଛି।