ଦଳ ଛାଡ଼ିଲେ ସଞ୍ଜୟ ସିଂହ, ବିଜେପିରେ ଯୋଗ ଦେବେ

ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ସାଂସଦ ସଂଜୟ ସିଂହ ଆଜି ଉଭୟ ଦଳ ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଆସନ୍ତାକାଲି ସଂଜୟ ବିଜେପିରେ ଯୋଗଦେବେ। ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡ଼ୁ ସଞ୍ଜୟ ସିଂହଙ୍କ ଇସ୍ତଫାପତ୍ର ଗ୍ରହଣ କରିଥିବା ଜଣାପଡ଼ିଛି। ଆମେଥିର ଏକ ରାଜ ପରିବାରରୁ ଆସିଥିବା ସଂଜୟ ଆସାମରୁ କଂଗ୍ରେସର ରାଜ୍ୟସଭା ସଦସ୍ୟ ଥିଲେ। ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେ ଆସନ୍ତାକାଲି ବିଜେପିରେ ଯୋଗ ଦେବେ। ସିଂହ ପୂର୍ବରୁ ବିଜେପିରେ ଥିଲେ ଏବଂ ସେ ୯୦ ଦଶକରେ ବିଜେପି ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ‌ତେବେ ୨୦୧୯ ଲୋକସଭା ନିର୍ବାଚନରେ ‌ସେ ଉତ୍ତରପ୍ରଦେଶର ସୁଲତାନପୁର ଆସନରୁ ନିର୍ବାଚନ ଲଢ଼ି ହାରି ଯାଇଥିଲେ। କହିଛନ୍ତି କଂଗ୍ରେସ ଏବେ ବି ଅତିତରେ ବୁଡ଼ି ରହିଛି ଏବଂ ଏହା ଭବିଷ୍ୟତ ନେଇ ସଚେତନ ନାହିଁ। ଏବେ ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅଛି ଏବଂ ଯଦି ଦେଶ ମୋଦୀଙ୍କ ସହ ଅଛି ତେବେ ମୁଁ ମଧ୍ୟ ତାଙ୍କ ସହ ରହିବି। କଂଗ୍ରେସ ଏବେ ଦିଗହରା ହୋଇପଡ଼ିଛି ଏବଂ ଏହା ଲୋକମାନଙ୍କଠାରୁ ଦୂରତା ଅବଲମ୍ବନ କରୁଛି। ‘ସବ୍‌କା କା ସାଥ୍‌ ସବ୍‌କା ବିକାଶ ’ ପାଇଁ ସିଂହ ମୋଦୀଙ୍କ ସହ ରହିବେ ବୋଲି କହିଛନ୍ତି। ସଂଜୟ ସିଂହଙ୍କ ପତ୍ନୀ ଅମିତା ସିଂହ ଯିଏ କି ଅଲ୍‌ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ଅଧ୍ୟକ୍ଷ, ସେ ମଧ୍ୟ କଂଗ୍ରେସ ଦଳ ଛାଡ଼ି ଦେଇଛନ୍ତି।

ସମ୍ବନ୍ଧିତ ଖବର