ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି)ର ସାଂସଦ ସଞ୍ଜୟ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଧରଣର ପର୍ଦ୍ଦାଫାଶ୍ କରିଛନ୍ତି। ସେ ଇଲୋକ୍ଟ୍ରାଲ ବଣ୍ଡ ମାମଲାରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଇଲୋକ୍ଟ୍ରାଲ ବଣ୍ଡ ନାମରେ ଶାସକ ବିାଜେପି ବଡ଼ ଧରଣର ଦୁର୍ନୀତି କରିଛି। କେତେକ କମ୍ପାନୀଙ୍କୁ କୋଟିକୋଟି ଟଙ୍କାର ଠିକା ପ୍ରଦାନ କରାଯାଇଛି। ତେବେ ସୁପ୍ରିମକୋର୍ଟ ସମଗ୍ର ମାମଲାକୁ ସମସ୍ତଙ୍କ ସମ୍ମୁଖକୁ ଆଣିଛନ୍ତି।
ସଞ୍ଜୟ କହିଛନ୍ତି ଚାନ୍ଦା ଦେଇଥିବା କମ୍ପାନୀଙ୍କ ମଧ୍ୟରେ ୩୩ ଏଭଳି କମ୍ପାନୀ ଅଛନ୍ତି ଯେଉଁମାନଙ୍କର ଗତ ୭ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ତେବେ ଏସବୁ କମ୍ପାନୀ ବିଜେପିକୁ ୪୦୦ କୋଟି ଟଙ୍କାର ଚାନ୍ଦା ପ୍ରଦାନ କରିଛନ୍ତି। ଏସବୁ କମ୍ପାନୀ ଶୂନ ଟିକସ ଦେଇଛନ୍ତି। ଭାରତୀ ଏୟାର ଟେଲ୍ ୨୦୦ କୋଟିର ଚାନ୍ଦା ଦେଇଛି। କିନ୍ତୁ ଏହାର କ୍ଷତି ୭୭ ହଜାର କୋଟି ଟଙ୍କା ହୋଇଛି। କ୍ଷତି ହୋଇଥିଲେ ମଧ୍ୟ କମ୍ପାନୀ ଏହି ଚାନ୍ଦା ଦେଇଛି। ଫଳରେ କମ୍ପାନୀକୁ ୮ ହଜାର ୨୦୦ କୋଟିର ଟିକସ ଛାଡ୍ କରାଯାଇଛି ବୋଲି ସଞ୍ଜୟ କହିଛନ୍ତି।
ସେହିପରି ଡିଏଲଏଫ୍ ପକ୍ଷରୁ ୨୫ କୋଟିର ଚାନ୍ଦା ବିଜେପିକୁ ଦିଆଯାଇଛି। ଏହି କମ୍ପାନୀ ଗତ ୭ ବର୍ଷରେ ୧୩୦ କୋଟିର କ୍ଷତି ସହିଛି। ଏହି କମ୍ପାନୀକୁ ୨୦ କୋଟିର ଟିକସ ଛାଡ୍ ମିଳିଛି। ସେହିପରି ସେଟିକ୍ ଇଞ୍ଜିନିୟରିଂ ପକ୍ଷରୁ୧୨ କୋଟିର ଚାନ୍ଦା ବିଜେପିକୁ ମିଳିଛି। ଏହି କମ୍ପାନୀ ୭ ବର୍ଷରେ ୧୫୦ କୋଟିର କ୍ଷତି କରିଛି। କମ୍ପାନୀକୁ ୧୬୦ କୋଟିର ଟିକସ ଛାଡ୍ ମିଳିଛି।
ଧାରୀୱାଲି ଇନଫ୍ରାଷ୍ଟକଚର ଲିମିଟେଡ୍ ପକ୍ଷରୁ ୧୧୫ କୋଟିର ଇଲୋକ୍ଟ୍ରାଲ ବଣ୍ଡ କ୍ରୟ କରାଯାଇଛି। କମ୍ପାନୀର କ୍ଷତି ପରିମାଣ ୨୯୯ କୋଟି ଟଙ୍କା ଥିବାବେଳେ ଏହାକୁ ୨୫ କୋଟିର ଟିକସ ଛାଡ୍ କରାଯାଇଛି। ପିଆରଏଲ ୨୦ କୋଟିର ଇଲୋକ୍ଟ୍ରାଲ ବଣ୍ଡ କିଣିଥିବାବେଳେ ୧୦ କୋଟିର ବଣ୍ଡ ବିଜେପିକୁ ଦେଇଛି। କମ୍ପାନୀକୁ ୪.୭ କୋଟିର ଟିକସ ଛାଡ୍ କରାଯାଇଥିବାବେଳେ ଏହା ଗତ ୭ ବର୍ଷରେ ୧୫୫୦ କୋଟିର କ୍ଷତି କରିଛି ବୋଲି ସେ କହିଛନ୍ତି।
ଶରଦ ରେଡ୍ଡୀଙ୍କ ୟୁଜିୟା ଫାର୍ମା ଲିମିଟେଡ୍ ୧୫ କୋଟିର ଇଲୋକ୍ଟ୍ରାଲ ବଣ୍ଡ କିଣି ଏସବୁକୁ ବିଜେପିକୁ ଦେଇଛି। ଏହି କମ୍ପାନୀ ଗତ ୭ ବର୍ଷରେ ୨୮ କୋଟିର କ୍ଷତି ସହିଛି। କମ୍ପାନୀକୁ ୭ କୋଟି ୨୦ ଲକ୍ଷର ଟିକସ ଛାଡ୍ କରାଯାଇଛି।
ସେହିପରି ନନ୍ଦୀ ପ୍ରାଇଭେଟ୍ ଲିମିଟେଡ୍ ୫ କୋଟିର ଇଲୋକ୍ଟ୍ରାଲ ବଣ୍ଡ କିଣି ବିଜେପିକୁ ଦେଇଛି। କମ୍ପାାନୀ ୪୮ କୋଟିର କ୍ଷତି ସହିତ। ଅରବିନ୍ଦ ବିୟୁଟି ବ୍ରାଣ୍ଡସ୍ ପ୍ରାଇଭେଟ୍ ଲିମିଟେଡ୍ ବିଜେପିକୁ ୩ କୋଟିର ଚାନ୍ଦା ଦେଇଛି। କମ୍ପାନୀ ୧୧ କୋଟିର କ୍ଷତି ସହିଥିବାବେଳେ ଏହାକୁ ୧୩ କୋଟିର ଟିକସ ଛାଡ୍ କରାଯାଇଛି। ଏହାସହିତ ୬ କମ୍ପାନୀ ସେମାନଙ୍କର ଲାଭ ଠାରୁ ଅଧିକ ଚାନ୍ଦା ପ୍ରଦାନ କରିଥିବା ସଞ୍ଜୟ ଅଭିଯୋଗ କରିଛନ୍ତି।