ସାଂସଦ ଆଦର୍ଶ ଗ୍ରାମ ଯୋଜନା : ଢେର୍ ପଛରେ ଓଡ଼ିଶା

ଚିହ୍ନଟ ହୋଇଛି ୬୧ ପଞ୍ଚାୟତ, ମାତ୍ର ୪୬ ପାଇଁ ହୋଇଛି ବିକାଶ ଯୋଜନା
ଝାଡ଼ଖଣ୍ଡ ତୁଳନାରେ ବି ପ୍ରଦର୍ଶନ ନୈରାଶ୍ୟଜନକ, ପ୍ରଶାସନିକ ତନାଘନା ନାହିଁ

ନୂଆଦିଲ୍ଲୀ : ଦେଶ ସ୍ୱାଧୀନତାର ୭୫ ବର୍ଷ ଅର୍ଥାତ୍‌ ୨୦୨୨ ମସିହା ସୁଦ୍ଧା ‘ସାଂସଦ ଆଦର୍ଶ ଗ୍ରାମ ଯୋଜନା’ (ଏସ୍‌ଏଜିୱାଇ) ଅନ୍ତର୍ଗତ ଗ୍ରାମଗୁଡ଼ିକୁ ଜାତୀୟ ଐକ୍ୟ ଓ ସମୃଦ୍ଧିର ପ୍ରତୀକ ରୂପେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ, ଏହି ଯୋଜନା ସେଭଳି ସଫଳତା ହାସଲ କରି ନ ଥିବାବେଳେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ସନ୍ତୋଷଜନକ ନ ଥିବା ଜଣାପଡ଼ିଛି। କେନ୍ଦ୍ର ଗ୍ରାମ୍ୟ ମନ୍ତ୍ରାଳୟ ପକ୍ଷରୁ ନିକଟରେ କରାଯାଇଥିବା ଅନୁଧ୍ୟାନରୁ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

ମୋଦୀ ସରକାରଙ୍କ ପ୍ରଥମ ପାଳି ସମୟରେ ଅର୍ଥାତ୍‌ ୨୦୧୪ ମସିହା ଅକ୍ଟୋବର ୧୧ ଦିନ ଏହି ଯୋଜନା ଆରମ୍ଭ କରାଯାଇଥିଲା। ସେଦିନ ଥିଲା ଜୟପ୍ରକାଶ ନାରାୟଣଙ୍କ ଜନ୍ମବାର୍ଷିକୀ। ଏହି ଯୋଜନା ଅନୁଯାୟୀ ସାଂସଦମାନଙ୍କ ଦ୍ବାରା ଚିହ୍ନଟ ହୋଇଥିବା ଗ୍ରାମଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିପାଇଁ ସାଂସଦମ‌ାନେ ୩ଟି ଲେଖାଏଁ ଗ୍ରାମ ଚିହ୍ନଟ କରିଥିବାବେଳେ ୨୦୧୯ ମସିହାରୁ ୨୦୨୪ ମସିହା ମଧ୍ୟରେ ୫ଟି ଲେଖାଏଁ ଚିହ୍ନଟ କରିବାର ବ୍ୟବସ୍ଥା କରାଯାଇଛି। ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଗ୍ରାମ ଚିହ୍ନଟ କରି ତାର ବିକାଶ ରାସ୍ତା ଖୋଲିବା ପାଇଁ କୁହାଯାଇଛି।

ଓଡ଼ିଶାରେ ୨୧ ଲୋକସଭା ସାଂସଦ ଓ ୧୦ ରାଜ୍ୟସଭା ସାଂସଦ ଅଛନ୍ତି। ମାତ୍ର ରିପୋର୍ଟ କହୁଛି, ଚଳିତ ୨୦୨୦ ମସିହା ଅକ୍ଟୋବର ୨୭ ତାରିଖ ସୁଦ୍ଧା ଓଡ଼ିଶାର ସାଂସଦମାନେ ମାତ୍ର ୬୧ଟି ଗ୍ରାମପଞ୍ଚାୟତକୁ ସାଂସଦ ଆଦର୍ଶ ଗ୍ରାମ ପାଇଁ ଚିହ୍ନଟ କରିଛନ୍ତି। ସେଥିମଧ୍ୟରୁ ୪୬ଟି ଗ୍ରାମ ପଞ୍ଚାୟତରେ ଗ୍ରାମ ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି। ଏସବୁ ଗ୍ରାମ ଲାଗି ସମୁଦାୟ ୧୪୬୪ଟି ପ୍ରକଳ୍ପ ଲାଗି ଖସଡ଼ା ପ୍ରସ୍ତୁତ କରାଯାଇଥିବା ବେଳେ ସେ ମଧ୍ୟରୁ ମାତ୍ର ୬୧୭ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି ଏବଂ ୧୮୫ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଥିବା ମନ୍ତ୍ରାଳୟର ତଥ୍ୟରୁ ଜଣାପଡ଼ିଛି।

ଏହି ତଥ୍ୟ କେଉଁଠି ନା କେଉଁଠି ସୂଚାଇ ଦେଇଛି ଯେ ସାଂସଦ ଆଦର୍ଶ ଗ୍ରାମ ଯୋଜନା କାର୍ଯ୍ୟାନ୍ବୟନ ଦିଗରେ ପ୍ରଶାସନ ଯେଭଳି ଗୁରୁତ୍ବ ଦେବା କଥା ତାହା ହୋଇନାହିଁ। ସେହିଭଳି ସାଂସଦମାନେ ଯେଉଁ ଗ୍ରାମକୁ ଚିହ୍ନଟ କରିଛନ୍ତି, ତାର ବିକାଶ କେତେ ପୂରଣ ହେଲା, କେଉଁଠାରେ କାମ ଅଟକିଲା ଏସବୁର ତଦାରଖ ଠିକ୍ ଭାବେ କରିଛନ୍ତି କି ନାହିଁ, ସେ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ପ୍ରସଙ୍ଗଟି ଏବେ ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି, କାରଣ ଉତ୍ତରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ, କର୍ଣ୍ଣାଟକ, କେରଳ, ଝାଡଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଭଳି ରାଜ୍ୟର ପ୍ରଦର୍ଶନ ଓଡ଼ିଶା ତୁଳନାରେ ବେଶ୍ ଆଖିଦୃଶିଆ ତଥା ସନ୍ତୋଷଜନକ ରହିଛି। ଏସବୁ ରାଜ୍ୟ ଗ୍ରାମ ବିକାଶ ଯୋଜନା ପ୍ରସ୍ତୁତ କରିବାରେ ଓଡିଶାଠାରୁ ମଧ୍ୟ ଆଗରେ ରହିଛନ୍ତି।

ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶ ସର୍ବାଧିକ ୩୪୫ଟି ଗ୍ରାମ ପଞ୍ଚାୟତକୁ ଚିହ୍ନଟ କରିବା ସହିତ ୩୨୮ଟି ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମରେ ବିକଶିତ ପାଇଁ ଗ୍ରାମ ବିକାଶ ଯୋଜନା ପ୍ରସ୍ତୁତ କରିବାରେ ସଫଳତା ହାସଲ କରିଛି। ସେହିଭଳି, ଗ୍ରାମ ବିକାଶ ଯୋଜନା ପାଇଁ କର୍ଣ୍ଣାଟକ ସର୍ବାଧିକ ୧୦,୩୨୧ଟି ଖସଡ଼ା ପ୍ରସ୍ତୁତ କରିଥିବାବେଳେ ୭,୮୨୬ଟି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିପାରିଥିବା ମନ୍ତ୍ରାଳୟର ସଦ୍ୟତମ ତଥ୍ୟରୁ ଜଣାପଡ଼ିଛି। ଅନ୍ୟପକ୍ଷରେ, ସାରାଦେଶରେ ବର୍ତ୍ତମାନ ସୁଦ୍ଧା ସାଂସଦ ଆଦର୍ଶ ଗ୍ରାମ ଯୋଜନା ଅନ୍ତର୍ଗତ ୧,୯୪୩ ଗ୍ରାମପଞ୍ଚାୟତ ଗୁଡ଼ିକର ଚିହ୍ନଟ କରାଯାଇଛି ଏବଂ ଗ୍ରାମ ବିକାଶକୁ ନେଇ ପ୍ରସ୍ତୁତ କରାଯାଇଥିବା ୭୫,୦୭୯ ଗତିବିଧି ଖସଡ଼ାରୁ ୪୭,୧୩୩ ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ଚିହ୍ନଟ ଗ୍ରାମଗୁଡ଼ିକରେ ଶିକ୍ଷା, ସ୍ବାସ୍ଥ୍ୟ, ପୁଷ୍ଟିସାଧନ, ଜୀବନଜୀବିକା, ଦକ୍ଷତା, ଆର୍ଥିକ ବିକାଶ, ପରିବେଶ ଉନ୍ନତି, ପରିଚ୍ଛନ୍ନତା ଉପରେ ଗୁରୁତ୍ବାରୋପ କରାଯାଉଛି। ତେବେ, ଏହିସବୁ କ୍ଷେତ୍ରରେ ସାରାଦେଶରେ ଯେଉଁ ଚିତ୍ର ରହିଛି ସେଥିରୁ ଜଣାପଡ଼ିଛି ଯେ ଯୋଜନାର ଲକ୍ଷ୍ୟ ପୂରଣ ‌ହୋଇନାହିଁ। ସାଂସଦ ଆଦର୍ଶ ଗ୍ରାମ ଯୋଜନାର ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦ୍ୱାରା ନିୟମିତ ସମୀକ୍ଷା ବୈଠକ କରାଯାଉଛି। ଯୋଜନାର ସଫଳତା ପାଇଁ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦିଆଯାଉଛି। ନିକଟରେ କେନ୍ଦ୍ର ଗ୍ରାମ୍ୟ ବିକାଶ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଅନେକ ରାଜ୍ୟମାନଙ୍କ ଦ୍ୱାରା ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଅତିରିକ୍ତ ପାଣ୍ଠି ଯୋଗାଇଦେବାକୁ ଦାବି କରାଯାଇଥିଲା। ମାତ୍ର, ଯୋଜନା ଯେ କଚ୍ଛପ ଗତିରେ ଚାଲିଛି ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଛି।

ସମ୍ବନ୍ଧିତ ଖବର