ସାଂସଦ ଆଦର୍ଶ ଗ୍ରାମ ଯୋଜନା: ତୃତୀୟ ପର୍ଯ୍ୟାୟ  ମନ୍ଥରତା

-୭୧୫ ସାଂସଦ ଏଯାଏଁ ଚୟନ କରିନାହାନ୍ତି ଗ୍ରାମ
ନୂଆଦିଲ୍ଲୀ, ୨୦/୧୦(ଇମିସ): ସାଂସଦ ଆଦର୍ଶ ଗ୍ରାମ ଯୋଜନା ଅନ୍ତର୍ଗତ ତୃତୀୟ ପର୍ଯ୍ୟାୟ ଗ୍ରାମ ଚୟନ ପାଇଁ ଅତ୍ୟଧିକ ମନ୍ଥରତା ପରିଲକ୍ଷିତ ହୋଇଛି। ତୃତୀୟ ପର୍ଯ୍ୟାୟରେ କେବଳ ଲୋକସଭା ଓ ରାଜ୍ୟସଭାର ୭୧ ଜଣ ସାଂସଦ ଗ୍ରାମ ଚୟନ କରିଛନ୍ତି। ୭୧୫ ଜଣ ସାଂସଦ ଏଯାଏଁ ଗ୍ରାମ ଚୟନ କରିନାହାନ୍ତି।
ସଦ୍ୟ ତଥ୍ୟ ଅନୁଯାୟୀ ଓଡ଼ିଶାର ୨୦ ଲୋକସଭା ସଦସ୍ୟଙ୍କ ସମେତ ଦେଶର ୪୮୩ଜଣ ସଦସ୍ୟ ଏବଂ ଓଡ଼ିଶାର ୧୦ ଜଣ ରାଜ୍ୟସଭା ସଦସ୍ୟଙ୍କ ସମେତ ଦେଶର ୨୩୨ଜଣ ସଦସ୍ୟ ତୃତୀୟ ପର୍ଯାୟ ଗ୍ରାମ ଚୟନ କରିନାହାନ୍ତି। ତୃତୀୟ ପର୍ଯ୍ୟାୟ ଗ୍ରାମ ଚୟନ କେବଳ କନ୍ଧମାଳର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ସୁଡ଼୍ରା ଗାଁକୁ ଚୟନ କରିଛନ୍ତି।
ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଲୋକସଭାର ୫୦୦ ସଦସ୍ୟ ଓ ରାଜ୍ୟସଭାର ୨୦୩ ସଦସ୍ୟ ଆଦର୍ଶ ଗ୍ରାମ ଚୟନ କରି ସେଗୁଡ଼ିକର ବିକାଶ କରିଥିଲେ। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ଢେଙ୍କାନାଳ ଏମ୍‌ପି ତଥାଗତ ସତପଥୀ ଓ ମୟୂରଭଞ୍ଜ ଏମ୍‌ପି ରାମଚନ୍ଦ୍ର ହାଂସଦାଙ୍କ ସମେତ ରାଜ୍ୟସଭା ସଦସ୍ୟ ଦିଲୀପ କୁମାର ତିର୍କୀ ସାଂସଦ ଆଦର୍ଶ ଗ୍ରାମ ଚୟନ କରି ନଥିଲେ।
ଦ୍ୱିତୀୟ ପର୍ଯ୍ୟାୟ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ଲୋକସଭାର ୩୦୨ଜଣ ସଦସ୍ୟ ଓ ରାଜ୍ୟସଭାର ୧୦୨ଜଣ ସଦସ୍ୟଙ୍କ ଦ୍ୱାରା ଗାଁ ଗୁଡ଼ିକ ଚିହ୍ନଟ କରାଯାଇଥିଲା। ଓଡ଼ିଶାରୁ ଲୋକସଭାର ଅର୍କ କିଶୋରୀ ସିଂହଦେଓ, ରାମଚନ୍ଦ୍ର ହାଂସଦା, ଝିନ ହିକକା, ଶକୁନ୍ତଳା ଲାଗୁରୀ, ପିନାକୀ ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ନଗେନ୍ଦ୍ର କୁମାର ପ୍ରଧାନ, ଡାକ୍ତର କୁଳମଣି ସାମଲ, ତଥାଗତ ସତପଥୀ, ଅର୍ଜୁନ ଚରଣ ସେଠୀ, ପ୍ରଭାସ କୁମାର ସିଂହ ଓ ଲଡ଼ୁ କିଶୋର ସିଂହଙ୍କ ଦ୍ୱାରା ଗ୍ରାମ ଗୁଡ଼ିକର ଚୟନ କରାଯାଇ ନଥିଲା। ସେହିଭଳି ରାଜ୍ୟସଭା ସଦସ୍ୟ ଅନୁଭବ ମହାନ୍ତି, ରଂଜୀବ ବିଶ୍ୱାଳ, ସରୋଜିନୀ ହେମ୍ବ୍ରମ୍‌, ଏ. ଭି. ସ୍ୱାମୀ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌. ଭାସ୍କର ରାଓ, ନରେନ୍ଦ୍ର କୁମାର ସ୍ୱାଇଁ ଓ ପ୍ରତାକ କେଶରୀ ଦେବ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଆଦର୍ଶ ଗ୍ରାମ ଚୟନ କରିନାହାନ୍ତି।
ପ୍ରଥମ ପର୍ଯ୍ୟାୟରେ ୯୩ ଜଣ ସାଂସଦ, ଦ୍ୱିତୀୟ ପର୍ଯ୍ୟାୟରେ ପାଖାପାଖି ୩୮୨ ଜଣ ସାଂସଦ ଓ ତୃତୀୟ ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ୭୧୫ ଜଣ ସାଂସଦଙ୍କ ଦ୍ୱାରା ସାଂସଦ ଆଦର୍ଶ ଗ୍ରାମ ଚିହ୍ନଟ ନହେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ସଫଳତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଏକ ସୂତ୍ରରୁ ଜଣାଯାଇଛି ଯେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଚୟନ କରାଯାଇଥିବା ଗ୍ରାମ ଗୁଡ଼ିକର କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ଯେଉଁଥିପାଇଁ ତୃତୀୟ ପର୍ଯ୍ୟାୟ ଗ୍ରାମ ଚୟନ ବିଳମ୍ବ ହେଉଛି। ଗ୍ରାମ ଗୁଡ଼ିକୁ ଚୟନ ନକରିବାରେ ଉଭୟ ସରକାରୀ ଓ ବିରୋଧୀ ଦଳର ଏମ୍‌ପି ରହିଛନ୍ତି।

ସମ୍ବନ୍ଧିତ ଖବର