ସଂସ୍କୃତ ଶିକ୍ଷା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ସଂସ୍କୃତ ଶିକ୍ଷା ଦେଶରେ ବହୁତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଦିଲ୍ଲୀଠାରେ ଆୟୋଜିତ ‘ଉତ୍କର୍ଷ ମହୋତ୍ସବ’ରେ ଉଦ୍‌ବୋଧନ ଦେଇ ଆଜି କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ନୂଆଦିଲ୍ଲୀ ତରଫରୁ ମେ ୭ ତାରିଖରୁ ଏକ ତିନିଦିନିଆ ଉତ୍କର୍ଷ ମହୋତ୍ସବର ଆୟୋଜନ କରାଯାଇଥିଲା। ସଂସ୍କୃତ ଭାଷାକୁ ସାରା ଦେଶରେ ତଥା ବିଦେଶରେ ପ୍ରସାରିତ କରିବା ଥିଲା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ସଂସ୍କୃତ କେବଳ ଏକ ଭାଷା ନୁହେଁ, ଏକ ଆବେଗ। ଆମର ଜ୍ଞାନ ଓ ପ୍ରଜ୍ଞା ହେଉଛି ଆମର ସମ୍ପଦ। ଆମ ସମସ୍ତଙ୍କର ଦାୟିତ୍ବ ହେଉଛି ଆମ ସଂସ୍କୃତିକୁ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଆଗକୁ ବଢ଼ାଇବା ଏବଂ ‘ବସୁଧୈବ କୁଟୁମ୍ବକମ୍’ର ଆଦର୍ଶ ଅନୁସରଣ କରିବା।

ମନ୍ତ୍ରୀ କହିଲେ ଯେ, ନୂତନ ଜାତୀୟ ଶିକ୍ଷା ନୀତିରେ ସଂସ୍କୃତ ସମେତ ସବୁ ଭାରତୀୟ ଭାଷାକୁ ଗୁରୁତ୍ବ ଦିଆଯାଇଛି। ହୁଏନ୍‌ସାଂଙ୍କ ସମୟରୁ ଆଜିର ରାଇସିନା ଡାଇଲଗ୍ ପର୍ଯ୍ୟନ୍ତ ସଂସ୍କୃତ ଭାଷାର ସାବଲୀଳତା, ଆଧୁନିକତା ଓ ବୈଜ୍ଞାନିକତାର ପ୍ରମାଣ ଦେବାର ଆବଶ୍ୟକତା ନାହିଁ। ଭାରତୀୟତା ସଂସ୍କୃତ ଭାଷା ସହିତ ଜଡ଼ିତ। ଏହି ଅବସରରେ ଉତ୍କର୍ଷ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟ ଓ ବିଚାରଧାରାକୁ ସେ ପ୍ରଶଂସା କରିଥିଲେ। ଏହି ଭାଷା ଅଧ୍ୟୟନକାରୀଙ୍କୁ ବହୁତ ନିଯୁକ୍ତି ସୁଯୋଗ ମିଳିବ ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଭାଷା ଉନ୍ନତୀକରଣର ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ଅଧ୍ୟକ୍ଷ ଚମୁକୃଷ୍ଣ ଶାସ୍ତ୍ରୀ, ୟୁଜିସି ଅଧ୍ୟକ୍ଷ ପ୍ର. ଏମ୍. ଜଗଦେଶ କୁମାର, କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ର. ଶ୍ରୀନିବାସ ବାରଖେଦି, ଶ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଜାତୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ପ୍ର. ମୁରଲୀମନୋହର ପାଠକ ଏବଂ ୧୭ଟି ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି, ବିଦ୍ବାନ୍ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର