ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ସପା-ବସପା ମେଣ୍ଟରେ ଲଗାମ ଲାଗିଛି। ରାଜ୍ୟର ୧୧ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ବହୁଜନ ସମାଜ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବ ବୋଲି ବସପା ସୁପ୍ରିମୋ ମାୟାବତୀ ଗତକାଲି ଘୋଷଣା କରିଥିଲେ। ଆଜି ଅଖିଳେଶ ମଧ୍ୟ ସମାଜବାଦୀ ପାର୍ଟି ଏକାକୀ ସବୁ ଆସନରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିବା ପରେ ମହାମେଣ୍ଟର ଭବିଷ୍ୟତ ସଂପୂର୍ଣ୍ଣ ଅନିଶ୍ଚିତତା ଭିତରକୁ ଚାଲିଯାଇଛି। ମାୟାବତୀ ଆଜି ତାଙ୍କର ଘୋଷଣା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ସପା ସହ ମେଣ୍ଟ ଭାଙ୍ଗିବା ସ୍ଥାୟୀ ନୁହେଁ। କେବଳ ଉପନିର୍ବାଚନରେ ବସପା ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଯଦି ସପା ମୁଖ୍ୟ ଅଖିଳେଶ ଭବିଷ୍ୟତରେ ତାଙ୍କ ଦଳକୁ ଅଧିକ ସୁଦୃଢ଼ କରିବେ ଏବଂ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି କାର୍ଯ୍ୟ କରିବେ ତେବେ ଆମେ ପୁଣି ଥରେ ଏକାଠି ନିର୍ବାଚନ ଲଢ଼ିବୁ ବୋଲି ସେ କହିଛନ୍ତି। ଯଦି ସମାଜବାଦୀ ପାର୍ଟି ଏଥିରେ ବିଫଳ ହୁଏ ତା’ହେଲେ ଅଲଗା ପନ୍ଥା ଆପଣାଇବାକୁ ଆମେ ବାଧ୍ୟ ହେବୁ ବୋଲି ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଅନ୍ୟପକ୍ଷରେ ଅଖିଳେଶ ଯାଦବ ଆଜି କହିଛନ୍ତି ଆସନ୍ତା ଉପନିର୍ବାଚନରେ ସପା ମଧ୍ୟ ସମସ୍ତ ୧୧ ଆସନରେ ଏକାକୀ ନିର୍ବାଚନ ଲଢ଼ି ତା’ର ଶକ୍ତି ଦେଖାଇବ। ଅଖିଳେଶ କହିଛନ୍ତି ଯଦି ଭବିଷ୍ୟତରେ ସପା-ବସପା ମେଣ୍ଟ ଭାଙ୍ଗିଯାଏ ତେବେ ଆମେ ଏ ବାବଦରେ ବିଚାରବିମର୍ଶ କରିବୁ। ତେବେ ଆଗାମୀ ଉପନିର୍ବାଚନରେ ଆଉ ମେଣ୍ଟ ହେବନାହିଁ ଏବଂ ଏଥିପାଇଁ ଦଳ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛି ବୋଲି ଅଖିଳେଶ କହିଛନ୍ତି।
ଉଲ୍ଲେଖଯୋଗ୍ୟ ବସପା ମୁଖ୍ୟ ମାୟାବତୀ ଗତକାଲି ଅଖିଳେଶଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ସେ କହିଥିଲେ, ଅଖିଳେଶ ନିଜ ପରିବାର ସଦସ୍ୟଙ୍କ ଆସନକୁ ମଧ୍ୟ ବଜାୟ ରଖିପାରି ନାହାନ୍ତି। ଅଖିଳେଶ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଲଢ଼ିଥିବା ଆସନଟିକୁ ମଧ୍ୟ ବଜାୟ ରଖି ପାରିନାହାନ୍ତି ଏବଂ ଯାଦବ ଭୋଟ୍ ବିଭାଜନ ପାଇଁ ମଧ୍ୟ ସେ ଦାୟୀ ବୋଲି କହିଥିଲେ। ଆଜି ମାୟାବତୀ କହିଛନ୍ତି ଅଖିଳେଶଙ୍କ ସହ ତାଙ୍କ ସମ୍ପର୍କ କେବଳ ରାଜନୀତି ପାଇଁ ନୁହେଁ ଏହା ସବୁଦିନ ପାଇଁ ରହିବ।
ଅଟକିଲା ସପା-ବସପା ମେଣ୍ଟ
oଏକାକୀ ଉପନିର୍ବାଚନ ଲଢ଼ିବାକୁ ଅଖିଳେଶଙ୍କ ଘୋଷଣା oସପା ସ୍ଥିତି ସୁଧୁରିଲେ ପୁଣି ବିଚାର କରିବୁ: ମାୟାବତୀ
/sambad/media/post_attachments/wp-content/uploads/2019/06/11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)