‘କ୍ଷଣିକା ଦି ଲଷ୍ଟ୍‍ ଆଇଡିଆ’ ଫିଲ୍ମକୁ କାହିଁକି ଓଟିଟିରୁ ହଟାଇଦିଆଯାଇଥିଲା, ପ୍ରଶ୍ନ ଉଠାଇଲେ କୋରାପୁଟ ସାଂସଦ

ନୂଆଦିଲ୍ଲୀ: ଓଡ଼ିଆ ଫିଚର ଫିଲ୍ମ ‘କ୍ଷଣିକା ଦି ଲଷ୍ଟ୍‍ ଆଇଡିଆ’କୁ ଓଟିଟି ପ୍ଲାଟଫର୍ମରୁ ବାଦ ଦିଆଯିବା ପ୍ରସଙ୍ଗରେ ଆଜି ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା | ଆଜି ସପ୍ତଗିରି ଏକ ଅଣତାରକା ପ୍ରଶ୍ନରେ କହିଥିଲେ ଯେ ଏହା କଣ ସତ କି ଓଡ଼ିଆ ଫିଚର ଫିଲ୍ମ ‘କ୍ଷଣିକା ଦି ଲଷ୍ଟ୍‍ ଆଇଡିଆ’କୁ ବିନା କୌଣସି ସୂଚନାରେ ଓଟିଟି ପ୍ଲାଟଫର୍ମରୁ ବାଦ ଦିଆଯାଇଥିଲା | ଯଦି ହଁ,ତେବେ କେନ୍ଦ୍ର ସରକାର ଏଭଳି ଆଞ୍ଚଳିକ ଭାଷାଭିତ୍ତିକ ଫିଲ୍ମ ପ୍ରତି ଭେଦଭାବ ପାଇଁ କଣ ପଦକ୍ଷେପ ନେଇଛନ୍ତି ? ଏହାର ଉତ୍ତରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ସୂଚନା ଦେଇଛନ୍ତି ଯେ ଓଟିଟି ପ୍ଲାଟଫର୍ମରୁ ଏହି ଫିଲ୍ମ ହଟାଇବା ପାଇଁ କେନ୍ଦ୍ର ସରକାର କୌଣସି ନିର୍ଦ୍ଦେଶ ଦେଇନଥିଲେ | କେନ୍ଦ୍ରୀୟ ଫିଲ୍ମ ପ୍ରମାଣ ବୋର୍ଡ(ସିବିଏଫସି) ସାର୍ଵଜନିକ ପ୍ରଦର୍ଶନ ପାଇଁ ଅନୁମତି ଦେଇଥାଏ |

ତେବେ ଏହି ଫିଲ୍ମ ପ୍ରତି କୌଣସି ଭେଦଭାବ କରାଯାଇନାହିଁ | ଫିଲ୍ମ ‘କ୍ଷଣିକା ଦି ଲଷ୍ଟ୍‍ ଆଇଡିଆ’କୁ ୨୦୧୭ ମସିହାରେ ୟୁଏ ସାର୍ଟିଫିକେଟ ଦିଆଯାଇଥିଲା | ଆଉ ୨୦୧୭ରେ ଗୋଆରେ ଅନୁଷ୍ଠିତ ହୋଇଥିବା ୪୮ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ପାନୋରମା ପକ୍ଷରୁ ଏହି ଫିଲ୍ମ ପ୍ରଦର୍ଶିତ ହୋଇଥିଲା | ସୂଚନା ଥାଉ କି ୮୯ ମିନିଟ୍‌ର ଏହି ଚଳଚ୍ଚିତ୍ରରେ ଦୁଇ ସୃଜନକର୍ତାଙ୍କ ମଧ୍ୟରେ ତାଙ୍କ ସୃଜନୀ ଚେତନାର ପ୍ରତିଫଳନ ଦେଖିବାକୁ ମିଳିଥିଲା । ସୃଜନୀର ପ୍ରାମାଣିକ ପ୍ରସ୍ତୁତିର କପି ରାଇଟ୍‌ ଥାଇପାରେ, କିନ୍ତୁ ଏହି ଚଳଚ୍ଚିତ୍ରରେ କବି ଓ ଚିତ୍ରଶିଳ୍ପୀ କିଭଳି ଏକ ପ୍ରକାର ଚିନ୍ତନକୁ ନିଜର ବୋଲି ଦାବି କରୁଛନ୍ତି, ଏହା ଚଳଚ୍ଚିତ୍ରରେ ବେଶ୍‌ ଚତୁରତାର ସହ ଦେଖାଇଥିଲେ ନିର୍ଦେଶକ ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ। ସ୍ୱସ୍ତିକ ଆର୍ଟ ହାଉସ୍‌ ବ୍ୟାନର୍‌ରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ସୁଶାନ୍ତ ମିଶ୍ର ଚିତ୍ରଶିଳ୍ପୀ ଓ ସ୍ୱସ୍ତିକ ଚୌଧୁରୀ କବି ଚରିତ୍ରରେ ଅଭିନୟ କରିଥିବା ବେଳେ ଚୌଧୁରୀ ବିକାଶ ଦାସ ଜଣେ ପାଗଳ ଭୂମିକାରେ ଅଭିନୟ କରିଥିଲେ ।

ସେହିଭଳି ଧନୁଯାତ୍ରାରେ ଦୀର୍ଘବର୍ଷ ଧରି କଂସ ଭୂମିକାରେ ମନ ଜିଣିଥିବା ହୃଷିକେଶ ଭୋଇ ଏକ ବିଶେଷ ଭୂମିକାରେ ଅଭିନୟ କରିଥିବା ବେଳେ ଅଭିନେତ୍ରୀ ଅନୁ ଚୌଧୁରୀ ଅତିଥି କଳାକାର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । କୌଣସି ଆଧୁନିକ ଉପକରଣର ବିନା ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବାବେଳେ ଭୁବନେଶ୍ୱର ଓ ପୁରୀର ବିଭିନ୍ନ ସ୍ଥାନରେ ଏହା ସୁଟିଂ ହୋଇଥିଲା |

ସମ୍ବନ୍ଧିତ ଖବର