ନୂଆଦିଲ୍ଲୀ : ଛାତ୍ର କଂଗ୍ରେସ ଉପରେ ପୁଲିସ ଲାଠିମାଡ଼ର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ସୋମବାର ଲୋକସଭାର ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ।
ସପ୍ତଗିରି ଏହି ପ୍ରସଙ୍ଗ ଉପସ୍ଥାପନ କରି କହିଲେ, ଭାରତୀୟ ଜାତୀୟ ଛାତ୍ର ସଂଗଠନ (ଏନ୍ଏସ୍ୟୁଆଇ) ଗତ ୧୦ ତାରିଖ ଦିନ ଭୁବନେଶ୍ବରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରୁଥିଲା। ଏହି ସମୟରେ ପୁଲିସ ଶୋଭାଯାତ୍ରୀଙ୍କ ଉପରେ ବର୍ବର ଲାଠିଚାଳନା କରିଥିଲା। ରାଜ୍ୟ କଂଗ୍ରେସ ଅଫିସ୍ ଭିତରେ ପଶି ଦମଦଲୀଳା ଚଳାଇଥିଲା। ଏଥିରେ ଅନେକ କର୍ମୀ ଆହତ ହୋଇଛନ୍ତି। ଏହି ଘଟଣାର ନ୍ୟାୟିକ ତଦନ୍ତ କରାଯାଉ। ଏହା ସହ ଦୋଷୀ ପୁଲିସଙ୍କ ବିରୋଧରେ ୩୦୭ରେ କାର୍ଯ୍ୟାନୁଷ୍ଠାନ ସହ ଆହତମାନଙ୍କୁ କ୍ଷତିପୂରଣ ସେ ଦାବି କରିଛନ୍ତି। ଏହା ସହ ଲାଠିମାଡ଼ ପ୍ରସଙ୍ଗରେ ଲୋକସଭାରେ ଆଲୋଚନା ପାଇଁ ସପ୍ତଗିରି ମୁଲତବୀ ନୋଟିସ ମଧ୍ୟ ଦେଇଛନ୍ତି।
ସୋମବାର ଲୋକସଭାର ଶୂନ୍ୟକାଳରେ ସେ ମଧ୍ୟ ମମିତା ମେହେର ହତ୍ୟାକାଣ୍ଡ ଉଠାଇଥିଲେ। ଏଥିରେ ଓଡ଼ିଶାର ସ୍ବରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ଥିବା ନେଇ ସେ ଅଭିଯୋଗ କରିଥିଲେ। ମାହାଙ୍ଗା ଡବଲ ମର୍ଡର ମାମଲାରେ ଓଡ଼ିଶା ଆଇନ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ସେ ଅଭିଯୋଗ କରିବା ସହ ବେବିନା ଓ ଇତିଶ୍ରୀ ହତ୍ୟା ମାମଲା ମଧ୍ୟ ଉଠାଇଥିଲେ। ରାଜ୍ୟରେ ପ୍ରତିଦିନ ୮ଟି ଦୁଷ୍କର୍ମ ମାମଲା ରୁଜୁ ହେଉଛି। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ହୋଇଥିଲେ ମଧ୍ୟ ନିକଟରେ ଘଟିଥିବା ଅପରାଧ ଚିନ୍ତାର କାରଣ ବୋଲି ସପ୍ତଗିରି କହିଥିଲେ।