ନୂଆଦିଲ୍ଲୀ: କୋରାପୁଟ ସାଂସଦ ସପ୍ତଗରି ଶଙ୍କର ଉଲାକାଙ୍କ ନେତୃତ୍ବରେ ଓଡିଶା କଂଗ୍ରେସର ଛଅ ଜଣ ବିଧାୟକ ଆଜି ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧିମଣ୍ଡଳରେ ଚିତ୍ରାକୋଣ୍ଡା ବିଧାୟକ ମଙ୍ଗୁ ଖିଲୋ, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବିଷମକଟକ ବିଧାୟକ ନୀଳମାଧବ ହିକ୍କା, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ଓ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ସାମିଲ ଥିଲେ। ଜାତୀୟ ସ୍ତରରେ ଓଡ଼ିଶାର ପ୍ରମୁଖ ପ୍ରସଙ୍ଗଗୁଡିକୁ ଉଠାଇବା ଲାଗି ଏହି ପ୍ରତିନିଧିମଣ୍ଡଳୀ ଶ୍ରୀ ଖଡ଼୍ଗେଙ୍କୁ ଜଣାଇଛନ୍ତି। ବିଶେଷକରି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ, ମହାନଦୀ ଜଳ ବିବାଦ, ପୋଲାଭରମ ପ୍ରକଳ୍ପ ଜନିତ ସମସ୍ୟା ତଥା କୋଟିଆ ଗ୍ରାମପୁଂଜ ସୀମାବିବାଦ ଭଳି ପ୍ରସଙ୍ଗର ସମାଧାନ ପାଇଁ ଜାତୀୟସ୍ତରରେ ସ୍ବର ଜୋର୍ କରିବା ଲାଗି ସେମାନେ କହିଛନ୍ତି।
ସଂସଦର ଭିତରେ ଓ ବାହାରେ ପ୍ରଭାବଶାଳୀ ଢଙ୍ଗରେ ଏସବୁ ଦାବି ଉପସ୍ଥାପନ ହେଲେ ଓଡ଼ିଶା ଉପକୃତ ହେବ। ସାଂସଦ ଓ ବିଧାୟକମାନେ ଓଡ଼ିଶାର ଏସବୁ ବିବାଦଗୁଡିକର ସମାଧାନ ପାଇଁ ଶ୍ରୀ ଖଡ଼ଗେଙ୍କୁ ଲିଖିତ କିଛି ପ୍ରସ୍ତାବ ଦେଇଥିବା ଜଣାପଡିଛି। ଆସନ୍ତାକାଲି ସେମାନେ ଲୋକସଭାରେ ସାଂସଦଙ୍କ ଶପଥପାଠ ଉତ୍ସବରେ ଯୋଗଦେବା ସହିତ କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବା ଶ୍ରୀ ଉଲ୍ଲାକା କହିଛନ୍ତି।
ପ୍ରତିନିଧିମଣ୍ଡଳୀ କହିଛନ୍ତି, ଜାତୀୟ ସ୍ତରରରେ ଓଡ଼ିଶାର ସ୍ବାର୍ଥ ସଂପର୍କିତ ପ୍ରସଙ୍ଗରେ କଂଗେସ ଯଦି ଲଗାତାର ମୋଦୀ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବ ତେବେ ରାଜ୍ୟବାସୀଙ୍କର କଂଗ୍ରେସ ପ୍ରତି ଆସ୍ଥା ବଢ଼ିବ। ଏକ ସକାରାତ୍ମକ ବାର୍ତ୍ତା ଯିବ ଯେ ଓଡ଼ିଶା ପାଇଁ କଂଗ୍ରେସର ଜାତୀୟ ନେତୃବୃନ୍ଦ ଲଢ଼ୁଛନ୍ତି। ଏଗି ଅବସରରରେ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୂତ୍ବରେ ନୂଆ ସରକାର ଗଠନ ହେବାପରେ ବାଲେଶ୍ବରରରେ ଦୁଇ ଭିନ୍ନ ସଂପ୍ରଦାୟ ମଧ୍ୟରେ ଘଟିଥିବା ଦଙ୍ଗା ତଥା କଟକରେ ଦୁଇ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରାଯିବାର ପ୍ରୟାସ ସଂପର୍କରେ ଏଆଇସିସି ସଭାପତିଙ୍କୁ ପ୍ରତିନିଧିମଣ୍ଡଳୀ ଅବଗତ କରିଥିଲେ। ରାଜ୍ୟରେ କଂଗ୍ରେସକୁ ସକ୍ରିୟ ତଥା ମଜବୁତ କରିବା ପାଇଁ ଶୀଘ୍ର ବିଧାୟକ ଦଳ ନେତା ନିଯୁକ୍ତି ତଥା ନୂତନ ପିସିସି ସଭାପତିଙ୍କୁ ଦାୟିତ୍ବ ଦେବା ପାଇଁ କଂଗ୍ରେସ ପ୍ରତିନିଧି ମଣ୍ଡଳ ଶ୍ରୀ ଖଡ୍ଗେଙ୍କୁ ପ୍ରସ୍ତାବ ଦେଇଥିବାର ଜଣାପଡିଛି। ଓଡିଶାର ବିଜେପିର ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ କିଭଳି ପ୍ରସଙ୍ଗଭିତ୍ତିରେ ବିରୋଧ କରାଯାଇପାରିବ ସେ ନେଇ ଶ୍ରୀ ଖଡ଼୍ଗେ ଆବଶ୍ୟକ ପରାମର୍ଶ ଦେଇଥିବା ସାଂସଦ ଶ୍ରୀ ଉଲ୍ଲାକା କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfhsffhfhssfh.jpg)