ମୁମ୍ବାଇ: ଲୋକସଭା ନିର୍ବାଚନ ଶେଷ ହେବା ପରେ ଦେଶରେ ଏକ ନୂତନ ଏନଡିଏ ସରକାର ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ଏହି ନୂତନ ସରକାରକୁ ଏକ ଦୁର୍ବଳ ସରକାର ବୋଲି ବିରୋଧୀ ଦଳର ନେତାମାନେ ଲଗାତାର କହୁଛନ୍ତି । ଏହି ସମୟରେ ମହାବିକାଶ ଅଘାଡି ନେତାମାନେ ଶନିବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଯେଉଁଠାରେ ଏନସିପି (ଏସପି) ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏନସିପି-ଏସପି ମୁଖ୍ୟ ଶରଦ ପାୱାର କହିଛନ୍ତି, "ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ଏବଂ ସମାବେଶ ଅନୁଷ୍ଠିତ ହୋଇଥିଲା, ଆମେ ସେଠାରେ ଜିତିଥିଲୁ। ସେଥିପାଇଁ ଏମ୍ଭିଏ ପାଇଁ ରାଜନୈତିକ ପରିବେଶ ଅନୁକୂଳ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା ମୋର କର୍ତ୍ତବ୍ୟ ବୋଲି ସେ କହିଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ମହାବିକାଶ ଅଘାଡି ନେତା ଶରଦ ପାୱାର, ଉଦ୍ଧବ ଠାକରେ ଏବଂ ପୃଥ୍ୱୀରାଜ ଚୌହାନ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଦଳକୁ ସମର୍ଥନ କରିଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ଲୋକସଭା ନିର୍ବାଚନରେ ବିଜେପି ଏବଂ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) କୁ ସବୁଠାରୁ ବଡ ଝଟକା ଦେଇଥିବା ତିନି ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ର ଅନ୍ୟତମ। ଏହି ସମୟରେ ଏନସିପି-ଏସପି ମୁଖ୍ୟ ଶରଦ ପାୱାର ତାଙ୍କ ପୁତୁରା ଅଜିତ ପାୱାରଙ୍କୁ ନିଜ ଦଳକୁ ଫେରାଇ ଆଣିବାର ସମ୍ଭାବନାକୁ ଅସ୍ୱୀକାର କରିଥିଲେ। ଚଳିତ ବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ଏ ସମ୍ପର୍କରେ ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ଘୋଷଣା କରିଛନ୍ତି ଯେ ମହାବିକାଶ ଅଘାଡି ମିଳିତ ଭାବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ମୋତେ ଛାଡିଛନ୍ତି ସେମାନଙ୍କୁ ଦଳକୁ ଫେରାଇ ନିଆଯିବ ନାହିଁ।