ମୁମ୍ବାଇ: ଶିବସେନାର ନାମ ଓ ପ୍ରତୀକ ବା ଚିହ୍ନ ସମ୍ପର୍କରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବା ପରଠାରୁ ମହାରାଷ୍ଟ୍ର ରାଜନୀତିରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି | ଗଣତନ୍ତ୍ର ପାଇଁ ନିର୍ବାଚନ ଆୟୋଗର ନିଷ୍ପତ୍ତି ଠିକ ନୁହେଁ ଏବଂ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଉଦ୍ଧବ ଠାକରେ କହିଛନ୍ତି। ଏହି ସମୟରେ ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ କୁହାଯାଉଥିବା ଶରଦ ପାୱାର ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରବିବାର ଦିନ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶରଦ ପାୱାର କହିଛନ୍ତି ଯେ ସେ ଶିବସେନାର ନାମ ଓ ପ୍ରତୀକକୁ ନେଇ ବିବାଦ ଭିତରକୁ ଆସିବାକୁ ଚାହୁଁନାହାଁନ୍ତି। ସେ ଦୁଇ ଦିନ ପୂର୍ବରୁ ଯାହା କହିଥିଲେ ଏବେ ବି ସେଥିରେ କାୟମ ଅଛନ୍ତି |
ଶିବସେନାର ନାମ ଓ ଚିହ୍ନ କଣ ହେବ ଏବଂ ଉଦ୍ଧବ କଣ ନିଷ୍ପତ୍ତି ନେବେ ସେଥିରୁ ନିଜକୁ ଦୂରେଇ ରଖିଛନ୍ତି ଶରଦ | ବାସ୍ତବରେ ଏନ୍ସିପି ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ବୁଝାଇଥିଲେ ଯେ ନୂଆ ଚିହ୍ନ ଗ୍ରହଣ କର । ସେ ଉଦ୍ଧବଙ୍କୁ କହିଥିଲେ ଯେ, ନିର୍ବାଚନ କମିସନଙ୍କ ନିଷ୍ପତ୍ତି ବିଶେଷ କୌଣସି ପ୍ରଭାବ ପକାଇବନି ଏବଂ ଲୋକମାନେ ନୂଆ ଚିହ୍ନକୁ ଗ୍ରହଣ କରିନେବେ। ଏହା ନିର୍ବାଚନ କମିସନଙ୍କ ନିଷ୍ପତ୍ତି। ଥରେ ନିଷ୍ପତ୍ତି ନିଆଗଲେ ତା’ ଉପରେ କୌଣସି ଆଲୋଚନା ହେବା ଉଚିତ ନୁହେଁ। ଏହି ନିଷ୍ପତ୍ତିକୁ ଗ୍ରହଣ କରିବାକୁ ହେବ ଏବଂ ନୂଆ ଚିହ୍ନ ସହ ଆଗକୁ ବଢିବାକୁ ପଡ଼ିବ। ପୁରୁଣା ଚିହ୍ନ କୌଣସି ବଡ଼ ପ୍ରଭାବ ପକାଇବନି ଏବଂ ଲୋକମାନେ ନୂଆ ଚିହ୍ନକୁ ଗ୍ରହଣ କରିନେବେ। ତେବେ ଉଦ୍ଧବ ସୁପ୍ରିମକୋର୍ଟ ଯିବାକୁ ଅଡ଼ି ବସିଥିବାବେଳେ ଏବେ ଶରଦ ନିଜେ ଦୂରେଇ ଯାଇଛନ୍ତି |