ମହାରାଷ୍ଟ୍ରରେ ରାଜନୀତି: ୧୯୭୮ରେ ଶରଦ ପାୱାର ବି ବିଦ୍ରୋହ କରିଥିଲେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ବିଦ୍ରୋହ ନୂଆ କଥା ନୁହେଁ। ଏନ୍‌ସିପି ନେତା ତଥା ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଆଜି ଯେଭଳି ଦଳ ବିରୋଧରେ ଯାଇ ସରକାର ଗଠନ ପାଇଁ ବିଜେପିକୁ ସମର୍ଥନ ଦେଇଛନ୍ତି ଠିକ୍ ‌ସେମିତି ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ୧୯୭୮‌ରେ ମହାରାଷ୍ଟ୍ରର ସବୁଠୁ କମ୍‌ ବୟସର ମୁଖ୍ୟମନ୍ତ୍ରୀ ହେବାପାଇଁ ନିଜ ଦଳରୁ ଦୁରେଇ ଯାଇଥିଲେ। ୧୯୭୭ରେ ଏମର୍ଜେନ୍ସି ପ୍ରତ୍ୟାହାର ପରେ କଂଗ୍ରେସ ଦୁଇଭାଗ ହୋଇଥିଲା। କଂଗ୍ରେସ (ଆଇ)ର ନେତୃତ୍ବ ନେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ କଂଗ୍ରେସ (ୟୁ)ର ନେତୃତ୍ବ ନେଇଥିଲେ ଡି. ଦେବରାଜ ଉର୍‌ସ। କିନ୍ତୁ ୧୯୭୮ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଶେଷ ପରେ ଏହି ଉଭୟ ଦଳ ଜନତା ପାର୍ଟିକୁ କ୍ଷମତାରୁ ହଟାଇବାପାଇଁ ହାତ ମିଳାଇଥିଲେ ଏବଂ ବସନ୍ତଦାଦା ପାଟିଲ୍‌ଙ୍କ ନେତୃତ୍ବରେ ସରକାର ଗଠନ କରିଥିଲେ। କିନ୍ତୁ ଶରଦ ପାୱାର ଯିଏ କି ତାଙ୍କ ରାଜନୈତିକ ଗୁରୁ ୱାଇବି ଚୌହାନ୍‌ଙ୍କ ସହ କଂଗ୍ରେସ (ୟୁ)ରେ ଯୋଗ ଦେଇଥିଲେ ଏବଂ ପାଟିଲ୍‌ ସରକାରରେ ଜଣେ ମନ୍ତ୍ରୀ ହୋଇଥିଲେ । ସେ ନିଜ ଦଳରୁ ଓହରି ଯାଇ ଜୁଲାଇ ୧୮, ୧୯୭୮ରେ ରାଜ୍ୟର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହେବାପାଇଁ ଜନତା ପାର୍ଟିର ସହଯୋଗ ନେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଭାବେ ପାୱାରଙ୍କ କାର୍ଯ୍ୟକାଳ ୧୯୮୦ ଯାଏଁ ତିଷ୍ଠିଥିଲେ ମଧ୍ୟ ସେ ପରେ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପାୱାର ୧୯୮୬ରେ ପୁଣିଥରେ କଂଗ୍ରେସରେ ଯୋଗ ଦେଇଥିଲେ। କିନ୍ତୁ ୧୯୯୯ରେ ସେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିଦେଶିନୀ ପ୍ରସଙ୍ଗ ଉଠାଇ ଏନ୍‌ସିପି ଗଠନ କଲେ। ପାୱାର ତାଙ୍କ ରାଜନୈତିକ ଜୀବନରେ ଅନେକ ଉତ୍‌ଥାନ ଓ ପତ୍ତନ ଦେଇ ଗତି କରିଛନ୍ତି। ବସନ୍ତଦାଦା ପାଟିଲ୍‌ଙ୍କ ବିରୋଧରେ ସେ ଯେଉଁଭଳି ବିଦ୍ରୋହ କରିଥିଲେ ଠିକ୍‌ ସେହି ଢଙ୍ଗରେ ଅଜିତ ପାୱାର ଏବେ ତାଙ୍କ ବିରୋଧରେ ବିଦ୍ରୋହ କରି ବିଜେପିକୁ ସମର୍ଥନ କରିଛନ୍ତି।

ସମ୍ବନ୍ଧିତ ଖବର