ତାମିଲ ଲେଖିକା ଶିବଶଙ୍କରୀଙ୍କୁ ସରସ୍ବତୀ ସମ୍ମାନ

ଚୂଡ଼ାନ୍ତ ପର୍ଯ୍ୟାୟକୁ ଚୟନ ହୋଇଥିଲା ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ‘ଆପଣ ଅଛନ୍ତି’

ନୂଆଦିଲ୍ଲୀ : ୨୦୨୨ ମସିହା ପାଇଁ ସମ୍ମାନଜନକ ସରସ୍ବତୀ ସମ୍ମାନ ତାମିଲ ଲେଖିକା ଶିବଶଙ୍କରୀଙ୍କୁ ପ୍ରଦାନ କରାଯିବ। ସୂର୍ଯ୍ୟ ବଂଶମ୍‌ ପୁସ୍ତକ ପାଇଁ ସେ ଏହି ସମ୍ମାନ ପାଇବେ। କେ କେ ବିର୍‌ଳା ଫାଉଣ୍ଡେସେନ ପକ୍ଷରୁ ପ୍ରତିଷ୍ଠିତ ଏହି ପୁରସ୍କାର ବାବଦରେ ଲେଖିକାକୁ ୧୫ ଲକ୍ଷ ଟଙ୍କା, ମାନପତ୍ର ଏବଂ ସ୍ମୃତିଫଳକ ପ୍ରଦାନ କରାଯିବ। ଶିବଶଙ୍କରୀଙ୍କ ସୂର୍ଯ୍ୟ ବଂଶମ୍‌ (ସଂସ୍ମରଣ) ୨୦୧୯ ମସିହାରେ ପ୍ରକାଶ ପାଇଥିଲା।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅର୍ଜନ କୁମାର ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ଚୟନ ପରିଷଦ ବିଜେତାଙ୍କୁ ଚୟନ କରିଛି। ସମ୍ବିଧାନରେ ଅଷ୍ଟମ ପରିଚ୍ଛଦରେ ସ୍ଥାନିତ ୨୨ଟି ଭାରତୀୟ ଭାଷାରେ ଲିଖିତ ପୁସ୍ତକକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥାଏ। ଚଳିତଥର ୨୦୧୨ରୁ ୨୦୨୧ ମଧ୍ୟରେ ପ୍ରକାଶିତ ପୁସ୍ତକଗୁଡ଼ିକକୁ ୨୨ଟି ଭାଷା କମିଟି ୨୨ଟି ପୁସ୍ତକ ଉପରେ ବିସ୍ତୃତ ଆଲୋଚନା କରିବା ପରେ ୫ଟି ପୁସ୍ତକକୁ କ୍ଷେତ୍ରୀୟ କମିଟିକୁ ସୁପାରିସ କରିଥିଲା। ସେହି ୫ଟି ପୁସ୍ତକ ମଧ୍ୟରେ ଶିବଶଙ୍କରୀଙ୍କ ସୂର୍ଯ୍ୟ ବଂଶମ୍‌ ସହିତ ବିଶିଷ୍ଟ ଓଡ଼ିଆ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତା ପୁସ୍ତକ ‘ଆପଣ ଅଛନ୍ତି’ ରହିଥିଲା। ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିବା ଅନ୍ୟ ତିନିଜଣ ଲେଖକ ହେଲେ ସାନ୍ତାଳୀ ଭାଷାର ବାଦଲ ହେମ୍ବ୍ରମ, ପଞ୍ଜାବୀ କବୀ ବନୀତା ଏବଂ ସିନ୍ଧି ଲେଖକ ଜେଠୋ ଲାଲୱାନି। ଉଲ୍ଲେଖଯୋଗ୍ୟ, ବିର୍‌ଳା ଫାଉଣ୍ଡେସନ ପକ୍ଷରୁ ୧୯୯୧ ମସିହାରୁ ଏହି ସମ୍ମାନ ଦେଶର ଖ୍ୟାତନାମା ଲେଖକମାନଙ୍କୁ ପ୍ରଦାନ କରାଯାଇ ଆସୁଛି।

ସମ୍ବନ୍ଧିତ ଖବର