ଶରତ ପଟ୍ଟନାୟକ ପିସିସି ସଭାପତି

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପଦକୁ ନେଇ ଚାଲିଥିବା ଚର୍ଚ୍ଚାର ଆଜି ଅବସାନ ଘଟିଛି। ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ରୂପେ ନିଯୁକ୍ତ କରାଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ସୋମବାର ଦିନ ବିଧିବଦ୍ଧଭାବେ ଏହା ଘୋଷଣା କରାଯାଇଛି। ଶ୍ରୀ ପଟ୍ଟନାୟକଙ୍କୁ ଦ୍ବିତୀୟ ଥର ପାଇଁ ପିସିସି ସଭାପତି ପଦରେ ନିଯୁକ୍ତି ମିଳିଛି। ପୂର୍ବରୁ ୨୦୦୧-୨୦୦୩ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ସେ କାର୍ଯ୍ୟ କରିଥିଲେ। ୧୯୯୧ ଓ ୧୯୯୬ରେ ସେ ଲୋକସଭା ସାଂସଦ ବି ଥିଲେ।

ଏଆଇସିସି ପକ୍ଷରୁ ବିବୃତ୍ତିରେ କୁହାଯାଇଛି ଯେ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧି ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ତତ୍କାଳ ଗ୍ରହଣ କରିଛନ୍ତି। ନିରଞ୍ଜନଙ୍କ ଅବଦାନକୁ ସେ ପ୍ରଶଂସା କରିଛନ୍ତି।

ପିସିସି ସଭାପତି ଭାବେ ନିଯୁକ୍ତି ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶରତ ପଟ୍ଟନାୟକ କହିଛନ୍ତି, ସେ ସମସ୍ତଙ୍କୁ ସାଙ୍ଗରେ ନେଇ ନିର୍ବାଚନ ଲଢ଼ିବେ। ସଂଗଠନକୁ ମଜବୁତ କରାଯିବ ଏବଂ ୨୦୨୪ ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ। ହ‌ାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ପିସିସି ସଭାପତି ଭାବେ ରାଜନୈତିକ ମଇଦାନରେ ବ୍ରଜରାଜନଗର ଉପନିର୍ବାଚନ ତାଙ୍କ ପାଇଁ ପ୍ରଥମ ପରୀକ୍ଷା ‌ହେବ। ତେବେ ଦଳ ଭିତରେ ଲାଗିରହିଥିବା ଗୋଷ୍ଠୀ କନ୍ଦଳ ତାଙ୍କ ପାଇଁ ସବୁଠାରୁ ବଡ ଚାଲେଞ୍ଜ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରର୍ଦଶନ ପରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ନୈତିକତା ଆଧାରରେ ଇସ୍ତଫା ଦେଇଥିଲେ। ହେଲେ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇନଥିଲା। ଏହା ବାଦ୍‌ ଗତମାସରେ ସ୍ବାସ୍ଥ୍ୟଗତ କାରଣରୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କୁ ସାକ୍ଷାତ କରି ପିସିସି ସଭାପତି ପଦରେ ରହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ଓ ନୂତନ ସଭାପତି ଚୟନ ପାଇଁ ହାଇକମାଣ୍ଡଙ୍କୁ ଅନୁରୋଧ କରିଥିଲେ। ଏହାପରେ ସଭାପତି ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କଂଗ୍ରେସ ରାଜ୍ୟ ପ୍ରଭାରୀ ଡ. ଏ. ଚେଲ୍ଲାକୁମାର ଦଳର ରାଜ୍ୟ ନେତାମାନଙ୍କ ସହିତ ପ୍ରଥମେ ବିଚାରବିମର୍ଶ ଆରମ୍ଭ କରିଥିଲେ। ଡ. ଚେଲ୍ଲାକୁମାର ପିସିସି ସଭାପତି ଚୟନ ନେଇ ମାର୍ଚ ତୃତୀୟ ସପ୍ତାହରେ ଓଡ଼ିଶା ଗସ୍ତ କରି ଦଳର ସାଂସଦ, ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହିତ ଦୁଇ ଦିନ ଧରି ବିସ୍ତୃତ ଆଲୋଚନା କରିଥିଲେ। ଦଳୀୟ ନେତାଙ୍କ ମତାମତକୁ ଆଧାର ଡ. ଚେଲ୍ଲାକୁମାର ତାଙ୍କ ରିପୋର୍ଟକୁ ସୋନିଆ ଗାନ୍ଧିଙ୍କୁ ପ୍ରଦାନ କରିଥିଲେ।

ନେତୃତ୍ବ ପରିବର୍ତ୍ତନ ପୂର୍ବରୁ ରାହୁଲ ଗାନ୍ଧିଙ୍କ ସହିତ ଆଲୋଚନା ପାଇଁ ରାଜ୍ୟ କଂଗ୍ରେସର ୧୯ ଜଣ ନେତାଙ୍କୁ ଦିଲ୍ଲୀ ଡକାଯାଇଥିଲା। ଦିଲ୍ଲୀରେ ଗତ ୯ ତାରିଖରେ କଂଗ୍ରେସ ନେତାମାନେ ରାହୁଲଙ୍କୁ ଭେଟି ସେମାନଙ୍କର ମତ ରଖିଥିଲେ। ଶୃଙ୍ଖଳା ରକ୍ଷା ଓ ଦଳକୁ ସୁଦୃଢ଼ କରିବା ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ରାହୁଲ ରାଜ୍ୟ ନେତାମାନଙ୍କୁ ପରାମର୍ଶ ଦେଇଥିଲେ।‌ ବୈଠକରେ ରାଜ୍ୟରେ ସାଂଗଠନିକ ପୁନର୍ବିନ୍ୟାସର ଆଭାସ ମିଳିଥିଲା। ଏପ୍ରିଲ ୧୩ ରୁ ୧୫ ପର୍ଯ୍ୟନ୍ତ କଂଗ୍ରେସର ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ପିସିସି ସଭାପତି ଘୋଷଣା ବିଳମ୍ବିତ ହୋଇଥିଲା। ଆଜି ସଭାପତିଙ୍କ ନାମ ଘୋଷଣା ହୋଇଥିବା ବେଳେ ବ୍ରଜରାଜନଗର ବିଧାନସଭା ଉପନର୍ବାଚନ ପରେ ଓଡ଼ିଶା ପିସିସିର ଆମୂଳଚୂଳ ପରିବର୍ତ୍ତନ କରାଯିବ ବୋଲି ଏଆଇସିସି ସୂତ୍ରରୁ ଜଣାପଡ଼ିଛି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପିସିସିର ଏକ ନୂଆ ଜୁମ୍ବୋ ଟିମ୍‌ ଗଠନ ‌ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର