ସରବନା ଭବନ ପ୍ରତିଷ୍ଠାତା ପି ରାଜ‌ଗୋପାଳଙ୍କ ପରଲୋକ

ଚେନ୍ନାଇ: ସରବନା ଭବନ ରେସ୍ତୋରାଁ ପ୍ରତିଷ୍ଠାତା ପି ରାଜଗୋପାଳଙ୍କର ଆଜି ଏକ ଘରୋଇ ହସ୍ପିଟାଲ୍‌ରେ ମୃତ୍ୟୁ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ୨୦୦୧ ମସିହାର ଏକ ହତ୍ୟା ମାମଲାରେ ରାଜଗୋପାଳଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା। ହତ୍ୟା ମାମଲାରେ କୋର୍ଟରେ ଆତ୍ମସମର୍ପଣ ପାଇଁ ପି ରାଜଗୋପାଳ ଅଧିକ ସମୟ ମାଗି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କ ଆବେଦନ ଖାରଜ କରିବା ପରେ ସେ ଗତ ୯ ତାରିଖରେ ଚେନ୍ନାଇର ଏକ ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ‌‌ତେବେ ଆମ୍ବୁଲାନ୍ସରେ କୋର୍ଟରେ ହ‌ାଜର ହେବାପାଇଁ ଆସିଥିବା ରାଜଗୋପାଳଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ହୋଇଯିବାରୁ ତାଙ୍କୁ ଷ୍ଟାନ୍‌ଲି ମେଡିକାଲ୍‌ କଲେଜ୍‌କୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ପରେ ତାଙ୍କ ପୁଅ ରାଜଗୋପାଳଙ୍କ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଘରୋଇ ହସ୍ପିଟାଲ୍‌କୁ ନେବାପାଇଁ ମାଡ୍ରାସ ହାଇକୋର୍ଟରେ ଆବେଦନ କରିବାପରେ ହାଇକୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ। ତାଙ୍କୁ ବିଜୟ ହେଲ୍‌ଥ ସେଣ୍ଟର‌ରେ ଚିକିତ୍ସା କରାଯାଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି।

ଦୋସା କିଙ୍ଗ୍‌ ରାଜଗୋପାଳ
ଦୋସା କିଙ୍ଗ୍‌ ପି ରାଜଗୋପାଳ ୧୯୮୧ରେ ପ୍ରଥମ ସରବନା ହୋଟେଲ ଆରମ୍ଭ କରିଥିଲେ। କଠିନ ପରିଶ୍ରମ ବଳରେ ସେ ଖୁବ୍‌ ଶୀଘ୍ର ସଫଳତା ପାଇଲେ। କିନ୍ତୁ ଜଣେ ବିବାହିତା ମହିଳାଙ୍କୁ ବିବାହ କରିବାର ନିଶା ତାଙ୍କ ଜୀବନର ଗତିପଥ ବଦଳାଇ ଦେଲା। ରାଜଗୋପାଳଙ୍କ ଘର ତୁତିକୋରିନ୍‌ର ପୁନ୍ନାଇ ନଗର ଗ୍ରାମ‌ରେ। ରାଜଗୋପାଳଙ୍କ ରେସ୍ତୋରାଁ ‘ସରବନା ଭବନ’କୁ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ପ୍ରଶଂସା ମିଳିଛି। ୮୦ ଦଶକରେ ରାଜଗୋପାଳଙ୍କ ହୋଟେଲ୍‌ ବ୍ୟବସାୟ କେକେ ନଗରରେ ଆରମ୍ଭ ହୋଇଥିଲା। ଏହାପରେ ସେ ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟଗୁଡ଼ିକରେ ରେସ୍ତୋରାଁ ବ୍ୟବସାୟ ଆରମ୍ଭ କରିଥିଲେ। ଏବେ ଆମେରିକା, ବ୍ରିଟେନ୍‌ ‌ ପ୍ରାୟ ୨୦ଟି ଦେଶରେ ତାଙ୍କ ରୋସ୍ତାରାଁ ଚାଲିଛି। ତେବେ ବିବାହିତା ମହିଳାଙ୍କୁ ବିବାହ କରିବାର ନିଶା ତାଙ୍କ ପାଇଁ କାଳ ହେଲା। ରା‌ଜଗୋପାଳ ତାଙ୍କର ଜଣେ କର୍ମଚାରୀଙ୍କ ଝିଅ ଜୀବାଜ୍ୟୋତିଙ୍କୁ ବିବାହ କରିବାକୁ ଚାହିଥିଲେ। ତେବେ ଜ୍ୟୋତି ପ୍ରିନ୍ସ ସାନ୍ତାକୁମାରଙ୍କୁ ବିବାହ କରିଥିଲେ। ରାଜଗୋପାଳଙ୍କ ଠାରୁ ସେ ବୟସରେ ବହୁତ ଛୋଟ। ଅକ୍ଟୋବର ୨୦୦୧ରେ ସେ ଜ୍ୟୋତି ଏବଂ ସାନ୍ତାକୁମାରଙ୍କୁ ଅପହରଣ କରିନେଇଥିଲେ ଏବଂ ଧମକଚମକ ପରେ ଛାଡ଼ି ଦେଇଥିଲେ। ଏହାର କିଛିଦିନ ପରେ ସେ ପୁଣି ସାନ୍ତାକୁମାରଙ୍କୁ ଅପହରଣ କରିନେଇ ହତ୍ୟା କରିଥିଲେ। ହତ୍ୟା ମାମଲାରେ ପ୍ରଥମେ ତାଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ ହୋଇଥିଲେ ମଧ୍ୟ ପରେ ମାଡ୍ରାସ ହାଇକୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ସମ୍ବନ୍ଧିତ ଖବର