ଲାହୋର: ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଏବେ ଇମ୍ରାନ ଖାନଙ୍କ ପାଇଁ ଏକ ଖୁସି ଖବର ଆସିଛି | କାରଣ ତାଙ୍କ ଦଳର ପ୍ରାର୍ଥୀ ପାକିସ୍ତାନ ଅଧିକୃତ କାଶ୍ମୀରର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ନେତା ସର୍ଦ୍ଦାର ତନଭୀର ଇଲିୟାସ ପାକିସ୍ତାନ ଅଧିକୃତ କାଶ୍ମୀରର ୧୪ତମ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀ ଗୁରୁବାର ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ପାଇଁ ଜଣେ ନୂତନ ନେତା ବାଛିବାକୁ ବୈଠକ ହୋଇଥିଲା |

Advertisment

ଆଉ ଇଲିୟାସ ପିଟିଆଇ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ | ଅନ୍ୟପକ୍ଷରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଏବଂ ପାକିସ୍ତାନ ମୁସଲିମ ଲିଗ୍ ନୱାଜ (ପିଏମଏଲ-ଏନ) ମିଳିତ ଭାବେ ଚୌଧୁରୀ ୟାସିନଙ୍କୁ ପ୍ରଧାନମନ୍ତ୍ରୀ ପାଇଁ ପ୍ରାର୍ଥୀ କରିଥିଲେ। ପାକିସ୍ତାନ ରାଜନୀତିରେ ଚାଲିଥିବା ଅଶାନ୍ତିକୁ ନେଇ ସୋମବାର ଅଧିବେଶନରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା । ଆଉ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଏବଂ ପାକିସ୍ତାନ ମୁସଲିମ ଲିଗ୍ ନୱାଜ (ପିଏମଏଲ-ଏନ) ସଦସ୍ୟମାନେ ଗୃହ ତ୍ୟାଗ କରିଥିଲେ |

ଶେଷରେ ନିର୍ବାଚନ ପାଇଁ ଆଉ କୌଣସି ପ୍ରାର୍ଥୀ ନ ଥିବାରୁ ଇଲିୟାସ ନିର୍ବାଚିତ ହୋଇଥିଲେ | ତାଙ୍କୁ ୩୩ ଜଣ ସାଂସଦଙ୍କ ଭୋଟ୍ ମିଳିଥିଲା | ସୂଚନା ଥାଉ କି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳରେ ବିଦ୍ରୋହ ପରେ ପାକିସ୍ତାନ ଅଧିକୃତ କାଶ୍ମୀର ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବଦୁଲ କାୟୁମ ନିଆଜୀ ଇସ୍ତଫା ଦେଇଥିଲେ । ଦଳର ୨୫ ଜଣ ସାଂସଦ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିବା ପରେ ସେ ଇସ୍ତଫା ଦେଇଥିଲେ |