ପଞ୍ଜାବରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ପାଇଁ ଷଡ଼ଯନ୍ତ୍ର !  କାଳୀ ଦେବୀ ମନ୍ଦିର ବିଗ୍ରହଙ୍କୁ ଅପବିତ୍ର କରିବାକୁ ଉଦ୍ୟମ

ଚଣ୍ଡିଗଡ଼ : ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ପାଇଁ କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ଉଦ୍ୟମ ଜାରି ରହିଛି । ଆଜି ପାତିଆଲାର ଐତିହାସିକ ଶ୍ରୀ କାଳୀ ଦେବୀ ମନ୍ଦିରରେ ଜଣେ ଯୁବକ ପ୍ରବେଶ କରି ଶ୍ରୀବିଗ୍ରହଙ୍କୁ ଅପବିତ୍ର କରିବାକୁ ଉଦ୍ୟମ କରିଥିଲା । ମନ୍ଦିରରେ ଥିବା ଶ୍ରଦ୍ଧାଳୁମାନେ ତୁରନ୍ତ ଉକ୍ତ ଯୁବକକୁ କାବୁ କରି ପୁଲିସକୁ ଦେଇଥିଲେ ।

ସଂପୃକ୍ତ ଯୁବକର ନାମ ରାଜବୀର ସିଂ ଓ ସେ ନୈନକାଲନ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି । ଆଜି ସେ ମନ୍ଦିରରେ ପ୍ରବେଶ କରି ଦେବୀ ମୂର୍ତ୍ତି ରଖଯାଇଥିବା ମଣ୍ଡପ ଉପରକୁ ଚଢିଯାଇଥିଲା ଓ ବିଗ୍ରହକୁ କୁଣ୍ଢେଇ ପକେଇଥିଲା । ଏହା ପରେ ପାଖରେ ଥିବା ପୂଜାରୀ ତାକୁ ତୁରନ୍ତ ଧରି ପକାଇଥିଲେ ଓ ପାଖରେ ଥିବା ଶ୍ରଦ୍ଧାଳୁମାନେ ତାହାକୁ କାବୁ କରି ମନ୍ଦିରର ସୁରକ୍ଷାକର୍ମୀଙ୍କୁ ଦେଇଥିଲେ । ପରେ ପୁଲିସ ଆସିବା ପରେ ତାକୁ ଗିରଫ କରାଯାଇଥିଲା ।

ଏହି ଘଟଣା ଜଣାପଡ଼ିବା ପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଘଟଣାକୁ ନିନ୍ଦା କରିବା ସହ ନିର୍ବାଚନ ପୂର୍ବରୁ ସାଂପ୍ରଦାୟିକ ସଦ୍ଭାବ ବିଗାଡ଼ିବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ସାଂପ୍ରଦାୟିକ ସଦ୍ଭାବ ବିଗାଡ଼ିବାକୁ କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଉଦ୍ୟମ କରୁଛନ୍ତି, କିନ୍ତୁ ଏଥିରେ ସେମାନେ ସଫଳ ହେବେ ନାହିଁ । ଗତ ଡିସେମ୍ବର ମାସରେ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଗୁରୁ ଗ୍ରନ୍ଥ ସାହେବକୁ ଅପବିତ୍ର କରିବାକୁ ଜଣେ ଯୁବକ ଚେଷ୍ଟା କରିଥିଲେ । ଏହା ପରେ ଏହି ଯୁବକଙ୍କୁ କିଛି ଲୋକ ପିଟି ପିଟି ହତ୍ୟା କରିଦେଇଥିଲେ ।

ସମ୍ବନ୍ଧିତ ଖବର