ନୂଆଦିଲ୍ଲୀ : ସୋମବାର ଠାରୁ ଲୋକସଭାରେ ଆରମ୍ଭ ହୋଇଛି ଅତିରିକ୍ତ ଅନୁଦାନ ଦାବି ଆଲୋଚନା। ଆଲୋଚନାରେ ଭାଗ ନେଇଥିଲେ ବିଜେଡି ସାଂସଦ ଶର୍ମିଷ୍ଠା ସେଠି ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ କହିଲେ ଯେ ଓଡ଼ିଶାରେ ଦାରିଦ୍ର ହାର ହ୍ରାସ ପାଇଛି, ଚାଷୀଙ୍କ ଆୟ ଦ୍ବି ଗୁଣିତ ହୋଇଛି, ଲଗାତାର ଇସ୍ପାତ ଉତ୍ପାଦନ ବୃଦ୍ଧି ସହିତ ରାଜ୍ୟରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଭଳି ଅନେକ ଉପଲବ୍ଧି ସଂପର୍କରେ ଅବଗତ କରାଇଥିଲେ।
ଏହା ସହ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ୧.୮୪ ଲକ୍ଷ ଆବାସ ଯୋଗାଇ ଦେବା, ଆବାସ ପ୍ଲସ୍ ପୋର୍ଟାଲ ଖୋଲିବା, ମନରେଗା ବାବଦରେ ବକେୟା ରହିଥିବା ୧୭ ଶହ କୋଟି ଟଙ୍କା ପ୍ରଦାନ କରିବା, ୬୦ ପ୍ରତିଶତ କୋଇଲା ସେସ୍ ପ୍ରଦାନ କରିବା, କେନ୍ଦୁପତ୍ର ଉପରୁ ଜିଏସ୍ଟି ହ୍ରାସ କରିବା, ପୁରୀ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ କାର୍ଯ୍ୟକୁ କ୍ରିୟାନ୍ବୟନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।