ନୂଆଦିଲ୍ଲୀ : ରାଜ୍ୟସଭାରେ ସାଂସଦମାନେ କିଭଳି ଆଞ୍ଚଳିକ ଭାଷାରେ ବିଭିନ୍ନ ପ୍ରସଙ୍ଗ ଉପରେ ମତ ଉପସ୍ଥାପନ କରିବେ, ସେ ନେଇ ଅଧ୍ୟକ୍ଷ ଏମ୍‌. ଭେଙ୍କିୟା ନାଇଡୁ ପ୍ରୟାସ କରି ଆସୁଥିଲେ। ନିକଟରେ ଶେଷ ହୋଇଥିବା ଅଧିବେଶନରେ ଅଧିକାଂଶ ସାଂସଦ ବି ଆଞ୍ଚଳିକ ଭାଷାରେ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ଅବତାରଣା କରିବାକୁ ଯାଇ ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କ ପ୍ରଶଂସା କରିଥିଲେ। ଶ୍ରୀମତୀ ହେମ୍ବ୍ରମ୍‌ ଶୂନ୍ୟକାଳରେ ସାନ୍ତାଳୀ ଭାଷାରେ ୩ ମିନିଟ୍‌ ବକ୍ତବ୍ୟ ରଖିଥିଲେ।

Advertisment

ଗତକାଲି ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ କମିଟିର ଦ୍ବିତୀୟ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଯୋଗଦେଇଥିଲେ। ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଞ୍ଚଳିକ ତଥା ମାତୃଭାଷାରେ ମତ ରଖିବା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁଙ୍କ ଉଦ୍ୟମର ପ୍ରଶଂସା କରିଥିଲେ। ଏହି ଅବସରରେ ସେ ବିଶେଷ ଭାବେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ନାମ ଉଲ୍ଲେଖ କରିଥିଲେ।

ଉଲ୍ଲେଖଯୋଗ୍ୟ, ରାଜ୍ୟସଭାର ୨୫୦ତମ ଅଧିବେଶନରେ ଶ୍ରୀମତୀ ହେମ୍ବ୍ରମ୍‌ଙ୍କ ସମେତ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ଅମର ପଟ୍ଟନାୟକ ମଧ୍ୟ ଓଡ଼ିଆରେ ଭାଷଣ ଦେଇଥିଲେ।