‘ନିର୍ବାଚନରେ ଜିତିଗଲେ ଭଗବାନଙ୍କ ବିମାନ ପାଇଁ ବିମାନବନ୍ଦର ନିର୍ମାଣ କରିବି’

ଅଲବର: ନିର୍ବାଚନ ଜିତିବାକୁ ପ୍ରାର୍ଥୀମାନେ ଭୋଟରଙ୍କୁ ବଡ଼ ବଡ଼ ପ୍ରତିଶୃତି ଦେଉଥିବାର ଖବର ଆପଣ ଶୁଣିଥିବେ | କିନ୍ତୁ ରାଜସ୍ଥାନର ଜଣେ ନେତା କିଛି ଏମିତି ପ୍ରତିଶୃତି ଦେଇଛନ୍ତି ଯାହାକି ସବୁ ମିଛ ପ୍ରତିଶ୍ରୁତିର ସୀମା ଟପିଯାଇଛି | ଏହି ନେତା ଜଣକ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଥିଲେ | ତେବେ ଏହି ନେତା ଜଣକ ଜିତିଲେ ବିମାନବନ୍ଦର ନିର୍ମାଣ କରିଦେବାର ପ୍ରତିଶୃତି ଦେଇଛନ୍ତି | ଯାହାକି ତାଙ୍କ କ୍ଷମତା ବାହାରେ ଥିଲେ ବି ଲୋକଙ୍କୁ ମିଛ ସ୍ୱପ୍ନ ଦେଖାଇଛନ୍ତି | ମିଳିଥିବା ସୂଚନା ମୁତାବକ ରାଜସ୍ଥାନ ଅଲବର ଜିଲ୍ଲାର ମଲଖେଡ଼ାରୁ ରାମବାବୁ ଶର୍ମା ସରପଞ୍ଚ ପଦ ପାଇଁ ନିର୍ବାଚନ ଲଢୁଥିଲେ | ଏଥିପାଇଁ ସେ କର୍ମୀଙ୍କୁ ନେଇ ପ୍ରଚାର ଅଭିଯାନ ମଧ୍ୟ କରିଥିଲେ |

Photo-Oneindia

ଲୋକଙ୍କ ପାଖକୁ ଯାଇ ରାମବାବୁ କହିଥିଲେ ଯେ ନିର୍ବାଚନ ଜିତିଲେ ପ୍ରଥମେ ସେ ଆବର୍ଜନା ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦେବେ | ଏହା ପରେ ସେ ଗାଁରେ ବିମାନବନ୍ଦର ନିର୍ମାଣ କରିବେ | କାରଣ ଭଗବାନ ତାଙ୍କୁ ସ୍ୱପ୍ନରେ ଆସି କହିଛନ୍ତି ଯେ ତାଙ୍କର(ଭଗବାନଙ୍କର) ବିମାନ ଯେଭଳି ଗାଁରେ ଓହ୍ଲେଇପାରିବ ସେଥିପାଇଁ ବିମାନବନ୍ଦର ନିର୍ମାଣ କରିବାକୁ ପଡିବ |

୫ ବର୍ଷ ତଳୁ ଭଗବାନ ତାଙ୍କୁ ସ୍ୱପ୍ନରେ ଆସି ବିମାନବନ୍ଦର ନିର୍ମାଣ କରାଇବାକୁ କହିଛନ୍ତି | କିନ୍ତୁ ରାଜନୀତିକୁ ଆସିବା ପାଇଁ ମୁଁ ଏତେ ସମୟ ପ୍ରତୀକ୍ଷା କରିଥିଲି | ସେଥିପାଇଁ ଅଧିକ ଭୋଟ ଦେଇ ମୋତେ ଜିତାନ୍ତୁ ବୋଲି ନେତା ଜଣକ ଗାଁ ରେ ବୁଲି ବୁଲି କହିଥିଲେ | ଏହା ସହ ସେ କହିଛନ୍ତି ଭଗବାନ କହିଛନ୍ତି ଯେ ପିଲାଙ୍କ ପାଇଁ ଷ୍ଟାଡିୟମ ନିର୍ମାଣ ମଧ୍ୟ ଗାଁରେ କରାଯିବ | ବଡ଼ କଥା ଯେ ସରପଞ୍ଚ ପ୍ରାର୍ଥୀଙ୍କ ଏହି ପ୍ରଚାର ଭିଡିଓ ଭାଇରାଲ ହୋଇଥିଲା | ତେବେ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ | ଜାନୁୟାରୀ ୨୨ ତାରିଖରେ ନିର୍ବାଚନ ହୋଇଥିଲା ଓ ସନ୍ଧ୍ୟାରେ ଫଳାଫଳ ଆସିଥିଲା | ଏଥିରେ ରାମବାବୁଙ୍କୁ ମାତ୍ର ୫୮ ଖଣ୍ଡ ଭୋଟ ମିଳିଥିଲା ଓ ସେ ଅମାନତ ହରାଇଥିଲେ |

ସମ୍ବନ୍ଧିତ ଖବର