ଚେନ୍ନାଇ: ତାମିଲନାଡୁର ପୂର୍ବତନ ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିଶ୍ୱସ୍ତ ଭାବେ ପରିଚିତ ବି.କେ ଶଶିକଳାଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି। ଆଜି ଦିନ ରାଜ୍ୟ ବିଧାନସଭାର ଆସନ ପାଇଁ ଭୋଟଦାନ ଚାଲିଥିବାବେଳେ ଶଶିକଳାଙ୍କ ଓକିଲ ଏନ.ରାଜା ଏସ୍ ପାଣ୍ଡିଆନ୍ ସୂଚନା ଦେଇ କହିଛନ୍ତି ଯେ ନାମ କଟିବା ଘଟଣାକୁ ନେଇ ଶଶିକଳା ଅସନ୍ତୁଷ୍ଟ ଅଛନ୍ତି | ମିଳିଥିବା ସୂଚନା ମୁତାବକ ଚେନ୍ନାଇର ଥାଉଜେନ୍ଡ ଲାଇଟ୍ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରୁ ଶଶିକଳାଙ୍କ ନାମ ହଟାଇ ଦିଆଯାଇଛି।
ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଚାରି ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ଶଶିକଳା ଚଳିତ ବର୍ଷ ଜାନୁଆରୀରେ ଜେଲରୁ ମୁକୁଳିଥିଲେ। ଜେଲରୁ ବାହାରିବା ପରେ ସେ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥିଲେ। ପାଣ୍ଡିଆନ୍ କହିଛନ୍ତି ଯେ ଗତ ଲୋକସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ ସମୟରେ ଜାନୁଆରୀ ୩୧, ୨୦୧୯ ରେ ଶଶିକଳାଙ୍କ ନାମ ହଟାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ତେବେ ନାମ କଟାଯାଇଥିବା ନେଇ ଦିନକ ପୂର୍ବରୁ ହିଁ ଶଶିକଳା ଜାଣିବାକୁ ପାଇଛନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି |
ସୂଚନା ଥାଉ କି ମଙ୍ଗଳବାର ସକାଳ ୭ଟାରୁ ତାମିଲନାଡୁର ୨୩୪ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି | ମୁଖ୍ୟମନ୍ତ୍ରୀ କେ ପାଲାନିସ୍ୱାମୀ, ଉପ ମୁଖ୍ୟମନ୍ତ୍ରୀ ଓ ପନିରସେଲଭମ, ଡିଏମକେ ସଭାପତି ଏମ.କେ ଷ୍ଟାଲିନ, ଏମଏମକେ ପ୍ରତିଷ୍ଠାତା ଟିଟିଭି ଦିନାକରନ ଏବଂ ମକ୍କାଲ ନିଧି ମାୟାମ ଅଧ୍ୟକ୍ଷ କମଲ ହାସନଙ୍କ ସମେତ ମୋଟ ୩୯୯୮ ପ୍ରାର୍ଥୀ ମୈଦାନରେ ଅଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Sashikalas-Name-Removed-From-Voter-List_Thumbnail.jpg)