ଚେନ୍ନାଇ: ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ବେଙ୍ଗାଲୁର ଜେଲରେ ବନ୍ଦୀ ଥିବା ଶଶିକଳା, ତାଙ୍କ ଅସୁସ୍ଥ ସ୍ୱାମୀଙ୍କୁ ଦେଖିବା ଉଦ୍ଦେଶ୍ୟରେ ୧୫ ଦିନ ପାଇଁ ପାରୋଲରେ ଯିବାକୁ ଆବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଶଶିକଳାଙ୍କ ସ୍ୱାମୀ ଏମ୍. ନଟରାଜନ୍ ଏବେ ଗୁରୁତର ଅସୁସ୍ଥ ଅବସ୍ଥାରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ତାଙ୍କ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅକାମି ହୋଇ ପଡ଼ିଥିବା ବେଳେ ତାଙ୍କ ଶରୀରରେ ଯକୃତ ପ୍ରତିରୋପଣ କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଏ ପରିସ୍ଥିତରେ ତାଙ୍କୁ ୧୫ ଦିନ ପାଇଁ ପାରୋଲ୍ରେ ଛାଡ଼ିବାକୁ ଶଶିକଳା ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିବା ଜାଣିବାକୁ ମିଳିଛି। ଅନ୍ୟପକ୍ଷରେ ଏକଦା ତାମିଲନାଡୁ ସରକାରଙ୍କ ଲୋକସଂପର୍କ ଅଧିକାରୀ ଥିବା ୭୪ ବର୍ଷ ବୟସ୍କ ଅସୁସ୍ଥ ନଟରାଜନ୍ ମଧ୍ୟ ତାଙ୍କ ପତ୍ନୀ ଶଶିକଳାଙ୍କୁ ଦେଖିବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି।
ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ, ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତା ଜେ. ଜୟଲଳିତାଙ୍କର ଘନିଷ୍ଠ ବାନ୍ଧବୀ ହେଉଛନ୍ତି ଶଶିକଳା। ଜୟଲଳିତାଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଶଶିକଳା ଥିଲେ ଅଖଣ୍ଡ କ୍ଷମତାର ଅଧିକାରିଣୀ। ତେବେ, ଶାସନକାଳରେ ଜୟଲଳିତାଙ୍କ ସହ ମିଶି ଶଶିକଳା ବିପୁଳ ପରିମାଣର ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୭ ଫେବ୍ରୁଆରିରୁ ବେଙ୍ଗାଲୁର ଜେଲ୍ରେ ବନ୍ଦୀ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/sasikala.jpeg)