୧,୪୩୦ କୋଟିର ଟିକସ ଫାଙ୍କି ଅଭିଯୋଗରେ ଶଶୀକଳାଙ୍କ ସ୍ୱାମୀଙ୍କୁ ୨ ବର୍ଷ ଜେଲ୍‌

ଦେଶର ସର୍ବବୃହତ ଆୟକର ଚଢ଼ାଉ

ଚେନ୍ନାଇ: ବିପୁଳ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ଜେଲରେ ବନ୍ଦୀ ଥିବା ଶଶୀକଳାଙ୍କ ସ୍ୱାମୀ ଏମ୍‌.ନଟରାଜନଙ୍କୁ ଟିକସ ଫାଙ୍କି ଅଭିଯୋଗରେ ୨ ବର୍ଷ କରାଦଣ୍ଡରେ ଦଣ୍ଡିତ କରାଯାଇଛି।

ଆୟକର ବିଭାଗ ପକ୍ଷରୁ ଗତ ପାଞ୍ଚ ଦିନ କାଳ ଧରି ରେଡ୍‌ ଓ ତଲାସୀ ଚାଲିବା ପରେ ଶଶୀକଳାଙ୍କ ସ୍ୱାମୀ ନଟରାଜନ୍‌ ୧,୪୩୦ କୋଟି ଟଙ୍କା ଟିକସ ଫାଙ୍କଥିବା ଆୟକର ବିଭାଗ ଅଧିକରୀମାନେ ଜାଣିବାକୁ ପାଇଛନ୍ତି।

ଆୟକର ବିଭାଗର ୧୮୦୦ ଜଣ ଅଧିକାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍‌ ଶଶୀକଳା ଓ ତାଙ୍କ ସ୍ୱାମୀ ନଟ୍‌ରାଜନ୍‌ଙ୍କ ନାମରେ ଥିବା ୧୮୭ଟି ସ୍ଥାନରେ ଗତ ସପ୍ତାହରେ ଏକକାଳୀନ ଚଢ଼ାଉ କରିଥିଲେ। ଚଢ଼ାଉ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ଉଭୟ ଶଶୀକଳା ଓ ନଟ୍‌ରାଜନ୍‌ ଏବଂ ସେମାନଙ୍କ ନିକଟ ସଂପର୍କୀୟଙ୍କ ନାମରେ ତାମିଲନାଡୁ, ପୁଡ଼ୁଚେରି, ହାଇଦ୍ରାବାଦ, ଚେନ୍ନାଇ, ତାମିଲନାଡ଼ୁ ଆଦି ସ୍ଥାନରେ ରହିଥିବା ବହୁ ବ୍ୟବସାୟ ପ୍ରତିଷ୍ଠାନ, କମ୍ପାନି, କାରଖାନା, ଦପ୍ତର, ସିନେମା ହଲ୍‌, ଟିଭି ଚ୍ୟାନେଲ୍‌, ଘର ଓ ଫାର୍ମ ହାଉସ୍‌ ଆଦି ସାମିଲ ଥିଲା।

The New Indian Express

ଏହି ଚଢ଼ାଉ ଦୀର୍ଘ ୫ଦିନ ଧରି ଚାଲିବା ପରେ ଆୟକର ବିଭାଗ ଅଧିକାରୀମାନେ ବିପୁଳ ପରିମାଣର ଆୟ ବହିର୍ଭିତ ସଂପତ୍ତି ଠାବ କରିବା ସହ ନଗଦ ଅର୍ଥରାଶି ମଧ୍ୟ ଜବତ କରିଥିଲେ। ତଦନ୍ତ କାଳରେ ନଟରାଜନ୍‌ ୧,୪୩୦ କୋଟି ଟଙ୍କାର ଆୟକର ଫାଙ୍କିଥିବା ଜଣାପଡ଼ିଥିଲା। ଏହି ମାମଲାରେ ନଟ୍‌ରାଜନ୍‌ଙ୍କୁ ଆଜି ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅନ୍ୟପକ୍ଷରେ ଆୟକର ବିଭାଗ ପକ୍ଷରୁ କରା ଯାଇଥିବା ଏହି ଚଢ଼ାଉ ଦେଶର ସର୍ବ ବୃହତ ଆୟକର ଚଢ଼ାଉ ଥିବା ମଧ୍ୟ ଜାଣିବାକୁ ମିଳିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଶଶୀକଳା ହେଉଛନ୍ତି ଏଆଇଏଡିଏମ୍‌କେର ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କର ବାନ୍ଧବୀ ଓ ଘନିଷ୍ଠ ସହଯୋଗୀ। ଜୟଲଳିତାଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ସେ ତାଙ୍କ ମିଶି ବିପୁଳ ପରିମାଣର ସଂପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଶଶୀକଳା ଏବେ ବନ୍ଦୀ ଜୀବନ ବିତାଉଛନ୍ତି।

ସମ୍ବନ୍ଧିତ ଖବର