ଶୂନ୍ୟକାଳରେ ଓଡ଼ିଆରେ ବକ୍ତବ୍ୟ ରଖିଲେ ସାଂସଦ ସସ୍ମିତ ପାତ୍ର, ମହିଳା ସଂରକ୍ଷଣ ବିଲ୍‌ ପାରିତ କରିବା ଦାବି ଊପସ୍ଥାପନ କଲେ

ନୂଆଦିଲ୍ଳୀ: ମଙ୍ଗଳବାର ରାଜ୍ୟସଭାରେ ଶୂନ୍ୟକାଳରେ ଓଡ଼ିଆ ଭାଷାରେ ନିଜର ଅଭିଭାଷଣ ରଖିଛନ୍ତି ସାଂସଦ ଡ.ସସ୍ମିତ ପାତ୍ର। ସେ ଶୂନ୍ୟକାଳରେ ମହିଳାମାନଙ୍କ ସକାଶେ ସଂରକ୍ଷିତ ବିଲ୍‌ ପାସ୍‌ ପ୍ରସ୍ତାବ ଦେଇ ନିଜର ଅଭିଭାଷଣ ରଖିଛନ୍ତି।

ବିଜୁ ଜନତା ଦଳର ସାଂସଦ ଡ.ପାତ୍ର  ନିଜର ଅଭିଭାଷଣରେ କହିଥିଲେ, ‘ଅଧ୍ୟକ୍ଷ ମହୋଦୟ ମୋତେ ଓଡ଼ିଆରେ କହିବା ପାଇଁ ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ମହିଳା ସଶକ୍ତିକରଣ ପାଇଁ ଆମେ ଯେତେ ବି କାର୍ଯ୍ୟ କରିଥାଉ ତାହା କମ୍‌ ହୋଇଥାଏ। ମୁଁ ଆଜି ସରକାରଙ୍କ ନିକଟରେ ୩ଟି ବିଷୟ ଏବଂ ଦୁଇଟି ପ୍ରସ୍ତାବ ରଖିବାକୁ ଚାହୁଁଛି, ଯାହାକି ମହିଳା ସଶକ୍ତିକରଣ ପାଇଁ ଅତ୍ୟନ୍ତ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ‌ହୋଇପାରିବ। ପ୍ରଥମେ ତ ମହିଳାମାନଙ୍କ ପାଇଁ ସାମାଜିକ ଓ ଅର୍ଥନୈତିକ ସଶନ୍ତିକରଣ ପାଇଁ ଯୋଜନାର ଆବଶ୍ୟକତା ରହିଛି। ଓଡ଼ିଶାରେ ‘ମିସନ ଶକ୍ତି’ ନାମକ ଏକ ଯୋଜନା ଅଛି, ଯେଉଁଥିରେ କି ୮୦ ଲକ୍ଷ ମହିଳା ସଶକ୍ତ ହୋଇଛନ୍ତି। କେନ୍ଦ୍ର ସରକାର ଯେଉଁଭଳି ଭାବେ ଓଡ଼ିଶାର ମମତା ଯୋଜନାକୁ ଦେଖିକରି ନେସ୍‌ନାଲ୍‌ ମାଟର୍ନିଟି ସ୍କିମ୍‌କୁ କାର୍ଯ୍ୟକାରୀ କରିଛନ୍ତି ସେହିପରି ‘ମିସନ ଶକ୍ତି’କୁ ନେଇ ପଦକ୍ଷେପ ଗ୍ରହଣ କରନ୍ତୁ। ଶେଷ କଥାଟି ‌ହେଉଛି ରାଜନୈତିକ ସଶକ୍ତିକରଣର ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି ଆମ ଦେଶରେ। ମହିଳା ସଂରକ୍ଷଣ ବିଲ୍‌କୁ ତୁରନ୍ତ ପାସ୍‌ କରିବାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳ ତରଫରୁ ମହିଳାମାନଙ୍କ ପାଇଁ ଲୋକସଭାରେ ଏକ ତୃତୀୟାଂଶ ସିଟ୍‌ ସଂରକ୍ଷିତ କରିଥିଲେ। ମୁଁ ଆଶା କରୁଛି ଏହି ଦୁଇଟି ଯାକ ପ୍ରସ୍ତାବ ‘ମିସନ ଶକ୍ତି’କୁ ଏକ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ପରିଣତ କରି ମହିଳା ସଶକ୍ତିକରଣ କରାଯାଇପାରିବ।

ସସ୍ମିତ ପାତ୍ରଙ୍କ ଅଭିଭାଷଣ ଶୁଣିବା ପରେ ରାଜ୍ୟସଭା ଅଧ୍ୟକ୍ଷ ତାଙ୍କର ପ୍ରଶଂସା କରିଛନ୍ତି। ପ୍ରଶଂସା କରି କହିଛନ୍ତି ନିଜ ଭାଷାରେ ତୁମେ ଖୁବ୍ ସୁନ୍ଦର ଅଭିଭାଷଣ ରଖିଲ।

ସମ୍ବନ୍ଧିତ ଖବର