ପିଏନ୍‌ବିରୁ ଋଣ ନେଇ କାର୍‌ କିଣିଥିଲେ ଶାସ୍ତ୍ରୀ

ମୃତ୍ୟୁ ପରେ ପେନ୍‌ସନରୁ ଶୁଝିଥିଲେ ପତ୍ନୀ

ନୂଆଦିଲ୍ଲୀ: ଏବେ ନିରବ ମୋଦିଙ୍କ ମହାଠକେଇ ମାମଲାରେ ପଂଜାବ ନ୍ୟାସନାଲ ବ୍ୟାଙ୍କ ଘୋର ବଦନାମ ଓ ବିପର୍ଯ୍ୟୟର ଶିକାର ହୋଇଛି। ନିରବ ମୋଦି ଠକି ନେଇଥିବା ହଜାର ହଜାର କୋଟି ଟଙ୍କା ପୈଠ କରିବେ କି ନାହିଁ ତାହା ଅନିଶ୍ଚିତତା ଭିତରେ ରହିଛି । ଏଭଳି ସମୟରେ ପିଏନ୍‌ବିର ଗ୍ରାହକ ରହିଥିବା ପୂର୍ବ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ସାଧୁତାର ଉଦାହରଣ ମଧ୍ୟ ଚର୍ଚ୍ଚାକୁ ଆସିଛି। ଶାସ୍ତ୍ରୀ କାର୍‌ କିଣିବା ପାଇଁ ପିଏନ୍‌୍‌ବିରୁ ନେଇଥିବା ୫ ହଜାର ଟଙ୍କା ଋଣ ତାଙ୍କର ଅଚାନକ ବିୟୋଗ ପରେ ପତ୍ନୀ ଲଲିତା ତାଙ୍କ ପେନ୍‌୍‌ସନରୁ ପରିଶୋଧ କରିଥିଲେ। ଲାଲ ବାହାଦୁର ଶାସ୍ତ୍ରୀଙ୍କ ପୁଅ ଅନୀଲ ଶାସ୍ତ୍ରୀ ଏ ବାବଦରେ ଗଣମାଧ୍ୟମକୁ ତଥ୍ୟ ଦେଇଛନ୍ତି। ଲାଲ ବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କ ପାଖରେ ନିଜର ଘର କି କାର୍‌ ନଥିଲା। ପ୍ରଧାନମନ୍ତ୍ରୀ ହେବାପରେ ପରିବାର ସଦସ୍ୟମାନେ କାର୍‌ ଖଣ୍ଡିଏ କିଣିବା ପାଇଁ ଗୁରୁତ୍ୱ ଦେଇଥିଲେ। ଏହା ୧୯୬୪ ମସିହାର କଥା ଏବଂ ସେହି ସମୟରେ ଏକ ଫିଆଟ୍‌ କାର୍‌୍‌ର ଦାମ୍‌ ୧୨ ହଜାର ଟଙ୍କା ହେଉଥିଲା । ଶାସ୍ତ୍ରୀ ତାଙ୍କର ଜଣେ ସଚିବଙ୍କୁ ତାଙ୍କ ବ୍ୟାଙ୍କ ଖାତାରେ କେତେ ଟଙ୍କା ଅଛି ବୋଲି ଜାଣିବାକୁ ଚାହିଥିଲେ। ବ୍ୟାଙ୍କ ଖାତାରେ କେବଳ ୭ ହଜାର ଟଙ୍କା ଥିବାରୁ ଏହା କାର୍‌ କିଣିବା ପାଇଁ ପର୍ଯ୍ୟାପ୍ତ ନଥିଲା। ଶାସ୍ତ୍ରୀ ଏହାପରେ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ୫ ହଜାର ଟଙ୍କା ଋଣ ଆବେଦନ କରିଥିଲେ ଏବଂ ସେହିଦିନ ହିଁ ବ୍ୟାଙ୍କ ଋଣ ମଂଜୁର କରିଥିଲେ। ତେବେ ଏହା ପରେ ପରେ ପରିବାରକୁ ସଙ୍କଟ ମାଡ଼ିଆସିଲା। ୧୯୬୬ ଜାନୁଆରି ୧୧ ତାରିଖରେ ତାସ୍‌କେଣ୍ଟ ଗସ୍ତରେ ଥିବା ଶାସ୍ତ୍ରୀଙ୍କ ଅଚାନକ ମୃତ୍ୟୁ ଘଟିଥିଲା। ଶାସ୍ତ୍ର ପିଏନ୍‌୍‌ବିରୁ ନେଇଥିବା ଋଣ ପରିଶୋଧ କରିନଥିବାରୁ ପରିବାର ସଦସ୍ୟଙ୍କୁ ବ୍ୟାଙ୍କରୁ ନୋଟିସ୍‌ ଆସିଥିଲା। ନୋଟିସ୍‌ ପାଇବା ପରେ ଶାସ୍ତ୍ରୀଙ୍କ ପତ୍ନୀ ଲଳିତା ତାଙ୍କ ପେନ୍‌୍‌ସନ ଅର୍ଥରୁ ୫ ହଜାର ଟଙ୍କା ସୁଝିଥିଲେ। ଶାସ୍ତ୍ର ଯେଉଁ କାର୍‌ କିଣିଥିଲେ ତାହା ୧୯୬୪ ମଡେଲ ଫିଆଟ ଥିଲା ଏବଂ ଏହାର ନମ୍ବର ଥିଲା ଡିଏଲ୍‌୍‌ଇ ୬। ଏବେ ଏହି କାର୍‌ ନୂଆଦିଲ୍ଲୀ ସ୍ଥିତ ଲାଲ ବାହାଦୁର ମେମୋରିଆଲରେ ରଖାଯାଇଛି। ୧୮୯୪ରେ ସ୍ଥାପିତ ହୋଇଥିବା ପିଏନ୍ବି ବ୍ରିଟିସ୍‌ ରାଜ ସମୟରେ ସ୍ୱଦେଶୀ ବ୍ୟାଙ୍କର ପରିକଳ୍ପନାକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଥିଲା। ଏହାର ପୂର୍ବ ନିର୍ଦ୍ଦେଶକ ମଣ୍ଡଳୀରେ ମହାନ ସ୍ୱାଧୀନତା ସଂଗ୍ରାମୀ ଲାଲା ଲାଜପତ ରାୟ ରହିଥିଲେ ।

ସମ୍ବନ୍ଧିତ ଖବର