ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍) ଉଚ୍ଛେଦ ସଂପର୍କିତ ମାମଲାର ଶୁଣାଣି ଶେଷ ହୋଇଛି। ଜଷ୍ଟିସ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ହିମା କୋହଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ସମସ୍ତ ପକ୍ଷଙ୍କୁ ସେପ୍ଟେମ୍ବର ୨୩ ତାରିଖ ପୂର୍ବରୁ ଲିଖିତ ନିବେଦନ (ସବ୍ମିସନ୍) ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗରେ ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା କହିଲେ, ସ୍ୟାଟ୍ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ଅଗଷ୍ଟ ୨, ୨୦୧୮ ବିଜ୍ଞପ୍ତି ପରେ ୪୯ ହଜାର ୮୧୭ ମାମଲା ଓଡ଼ିଶା ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ସେଥିରୁ ସେପ୍ଟେମ୍ବର ୧୯, ୨୦୨୨ ସୁଦ୍ଧା ୩୮ ହଜାର ୨୨୬ ମାମଲାର ଫଇସଲା ହୋଇଛି। ଏବେ ୧୧ ହଜାର ୫୯୧ ମାମଲା ବିଚାରାଧୀନ ଅଛି। ଏହା ସହିତ ଓଡ଼ିଶା ହାଇକୋର୍ଟରେ ୧୨ ଜଣ ବିଚାରପତି ନିଯୁକ୍ତ ହୋଇଛନ୍ତି ଏବଂ ସର୍ଭିସ୍ ମାମଲାଗୁଡ଼ିକୁ ହାଇକୋର୍ଟର ୫-୬ ଟି ସମର୍ପିତ ବେଞ୍ଚ ବିଚାର କରୁଛନ୍ତି। ରାଜ୍ୟ ସରକାର ପୂର୍ଣ୍ଣ କୋର୍ଟଙ୍କ ଅନୁମତି ହାସଲ କରିବା ପରେ ହିଁ ଟ୍ରିବ୍ୟୁନାଲ ଉଚ୍ଛେଦ ବିଜ୍ଞପ୍ତି ଜାରି କରିଥିଲେ। ସ୍ୟାଟ୍ ଉଚ୍ଛେଦ ପରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂପର୍କରେ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ପ୍ରଶ୍ନର ଉତ୍ତର ରଖି ପରିଜା କହିଲେ, ଟ୍ରିବ୍ୟୁନାଲର ସମସ୍ତ କର୍ମଚାରୀଙ୍କୁ ଓଡ଼ିଶା ହାଇକୋର୍ଟ ଓ ରିୟଲ ଇଷ୍ଟେଟ୍ ରେଗୁଲଟରି ଅଥରିଟି (ରେରା)ରେ ସାମିଲ କରାଯାଇଛି।
ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଶୋକ ପାଣିଗ୍ରାହୀ ଓ ଅମନ ହିଙ୍ଗୋରାନୀ ଯୁକ୍ତି ଉପସ୍ଥାପନ କରିଥିଲେ। ପାଣିଗ୍ରାହୀ କହିଲେ, ଆଡଭୋକେଟ ଜେନେରାଲଙ୍କ ଦ୍ବାରା ଅଧା ମାମଲାଗୁଡିକର ଫଇସଲା ହେବାର ଯେଉଁ ତଥ୍ୟ ଦିଆଯାଇଛି, ସେସବୁ ମାମଲାଗୁଡ଼ିକ ନିଷ୍କ୍ରିୟ (ଇନ୍ଫେକ୍ଟିଅସ୍) ହୋଇଯାଇଥିଲା। ଏ ନେଇ ଜଷ୍ଟିସ ହିମା କୋହଲୀ କହିଥିଲେ, ଅନେକ ମାମଲା ନିଷ୍କ୍ରିୟ ହେବା ଦର୍ଶାଉଛି ଯେ ଟ୍ରିବ୍ୟୁନାଲ ଦ୍ବାରା ଠିକ ସମୟରେ ମାମଲା ପରିଚାଳନା କରାଯାଉନଥିଲା। ହାଇକୋର୍ଟଙ୍କ ବୋଝ ହାଲକା କରିବା ଟ୍ରିବ୍ୟୁନାଲ ଗଠନର ଉଦ୍ଦେଶ୍ୟ ଥିଲା ବୋଲି ଆବେଦନକାରୀ କହିଥିଲେ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମାମଲାରେ ଅତିରିକ୍ତ ସଲିସିଟର୍ ଜେନେରାଲ ବଲବୀର ସିଂହ ଟ୍ରିବ୍ୟୁନାଲ୍ ଉଚ୍ଛେଦ କରିବା ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ସେ ମଧ୍ୟପ୍ରଦେଶ ହାଇକୋର୍ଟ ବାର୍ ଆସୋସିଏସନ୍ ବନାମ ଭାରତ ସରକାରଙ୍କ ମାମଲାର ଅବତାରଣ କରି କହିଲେ, ସଂସଦ ପାଖରେ ଟ୍ରିବ୍ୟୁନାଲ ଗଠନ ଓ ଉଚ୍ଛେଦ କରିବାର କ୍ଷମତା ରହିଛି ବୋଲି ସୁପ୍ରିମକୋର୍ଟ ସ୍ବୀକାର କରିଛନ୍ତି। ଟ୍ରିବ୍ୟୁନାଲକୁ ଉଚ୍ଛେଦ କରାଯିବା ପରେ ମାମଲାଗୁଡ଼ିକର ବିଚାର ପାଇଁ ହାଇକୋର୍ଟକୁ ଦିଆଯାଇଛି। ତିନି ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ମାମଲାର ରାୟକୁ କୋର୍ଟ ସଂରକ୍ଷିତ ରଖିଛନ୍ତି।