ଆସିଲା ସାଟେଲାଇଟ୍ ଚିତ୍ର ; ୟୁକ୍ରେନ ସୀମାରେ ପ୍ରସ୍ତୁତ ହୋଇ ରହିଛି ଋଷିଆର ଲଢୁଆ ବିମାନ, ଡ୍ରୋନ, ଏସ-୪୦୦

ମସ୍କୋ : ଋଷିଆ ୟୁକ୍ରେନ ସୀମାରୁ ସୈନ୍ୟ ପ୍ରତ୍ୟାହାର କଥା କହୁଥିଲେ ବି ସାଟେଲାଇଟ୍ ଚିତ୍ର ଅଲଗା କଥା କହୁଛି । ସାଟେଲାଇଟ୍ ଚିତ୍ରରୁ ଋଷିଆର ସମରସଜ୍ଜାର ପ୍ରକୃତ ଚିତ୍ର ସାମନାକୁ ଆସିଛି । ଏହି ଚିତ୍ରରୁ ଦେଖାଯାଉଛି ଯେ, ୟୁକ୍ରେନ ସୀମାକୁ ଲାଗି ଋଷିଆ ଲଢୁଆ ବିମାନ, ମିସାଇଲ ଲଞ୍ଚର ସିଷ୍ଟମ, ଡ୍ରୋନ ଆଦି ସଜେଇ ରଖିଛି । ଆଦେଶ ଆସିବା ମାତ୍ରେ ଏମାନେ ଉଭୟ ଆକାଶ ପଥରୁ ଓ ସ୍ଥଳପଥରୁ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ।

ଆମେରିକୀୟ ସଂସ୍ଥା ମେକ୍ସାର ଦ୍ବାରା ଜାରି ଚିତ୍ର ଅନୁସାରେ ଋଷିଆ ସୀମାରେ ଲଢୁଆ ହେଲିକାପ୍ଟର, ଏୟାର ଡିଫେନ୍ସ ୟୁନିଟ (ଏସ-୪୦୦) ଆଦି ମଧ୍ୟ ଦେଖାଯାଉଛି ।

ଋଷିଆର ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ଅନୁସାରେ ସୀମାନ୍ତକୁ ଋଷିଆ ଏୟାରବୋର୍ନ କମ୍ବାଟ୍ କ୍ୟାରିୟର ପଠାଉଛି । ଏଗୁଡ଼ିକୁ ଋଷିଆ ମିଲିଟାରୀର ପରିବହନ ବିମାନରେ ନେଇ ୟୁକ୍ରେନ ମଧ୍ୟରେ ଓହ୍ଲାଇ ଦିଆଯିବ ।

ଆଜି ମଧ୍ୟ ଋଷିଆ ପକ୍ଷରୁ ଏକ ବୃହତ ଆଣବିକ ସମରାଭ୍ୟାସ କରି ହାଇପରସୋନିକ, ବାଲିଷ୍ଟିକ  ଓ କ୍ରୁଜ ମିସାଇଲର ପରୀକ୍ଷଣ କରାଯାଇଛି  । ଖୋଦ୍ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ଏସବୁ ମିସାଇଲର ପରୀକ୍ଷଣ ନିରୀକ୍ଷଣ କରିଥିଲେ । ୟୁକ୍ରେନ ସଂକଟକୁ ନେଇ ସମଗ୍ର ବିଶ୍ବ ଚିନ୍ତିତ ଥିବାବେଳେ ଋଷିଆର ଏହି ବୃହତ୍ ସମରାଭ୍ୟାସ ଚିନ୍ତା ବଢାଇଦେଇଛି ।

 

ସମ୍ବନ୍ଧିତ ଖବର