ନୂଆଦିଲ୍ଲୀ:‘ଅପରେସନ୍ ସିନ୍ଦୂର’ ବେଳେ ଭାରତୀୟ ବାୟୁ ସେନାର ବଳ ବିଷୟରେ ସାରା ବିଶ୍ବ ଶୁଣିବାକୁ ପାଇଛି। ଶୁଣା କଥାକୁ ହୁଏତ କିଏ ବିଶ୍ବାସ କରିପାରନ୍ତି କି ନକରିପାରନ୍ତି। ହେଲେ ଏବେ ସେହି ବୀରତ୍ବର ପ୍ରମାଣ ବି ହାତକୁ ଆସି ସାରିଲାଣି। ଭାରତୀୟ ସେନା ଯେ ସତରେ ପାକିସ୍ତାନରେ ଯାଇ ଆକ୍ରମଣ କରିଛି ତାହାକୁ ଆମେ ସନ୍ଦେହ କରୁନଥିଲେ ବି ପୂରା ବିଶ୍ବକୁ ଏହାର ପ୍ରମାଣ ଦେବା ଜରୁରୀ ଥିଲା। ଯାହାର ସାଟେଲାଇଟ୍ ଫଟୋ ଏବେ ଜାରି ହୋଇଛି। ଯେଉଁ ଫଟୋକୁ ଦେଖିବା ପରେ ସମସ୍ତେ ନିଶ୍ଚିତ ହୋଇଯିବେ ଯେ ସେନା ପାକ୍ର କେଉଁ କେଉଁ ଅଞ୍ଚଳକୁ ଆକ୍ରମଣ କରି ଧ୍ବଂସବିଧ୍ବଂଶ କରିଛି।
ଭାରତୀୟ ବାୟୁସେନା (ଆଇଏଏଫ୍) ମେ ୧୦ ତାରିଖରେ ଅତି କମରେ ଆଠଟି ପାକିସ୍ତାନୀ ସାମରିକ ଘାଟୀ ଉପରେ ଆକ୍ରମଣ କରିଥିଲା। ସାଟେଲାଇଟ୍ ଚିତ୍ରରୁ ଭିତ୍ତିଭୂମି ଏବଂ ଭୂଇଁରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ କ୍ଷତି ନିଶ୍ଚିତ କରାଯାଇଛି।
ବିଶେଷଜ୍ଞଙ୍କ ଅନୁସାରେ, ଭାରତୀୟ ସେନା ପକ୍ଷରୁ ପାକିସ୍ତାନରେ ହୋଇଥିବା ଆକ୍ରମଣରେ ଉନ୍ନତ କ୍ରୁଜ୍ ମିସାଇଲ୍, ସମ୍ଭବତଃ ବ୍ରହ୍ମୋସ୍ ବ୍ୟବହାର କରାଯାଇଥିଲା।
ବେଙ୍ଗାଲୁରୁସ୍ଥିତ ଏକ ସାଟେଲାଇଟ୍ ଇଣ୍ଟେଲିଜେନ୍ସ ଏଜେନ୍ସି, କାୱା ସ୍ପେସ୍ ତରଫରୁ ପାକିସ୍ତାନ ବାୟୁସେନା ଘାଟୀର କ୍ଷୟକ୍ଷତି ମୂଲ୍ୟାଙ୍କନ ଚିତ୍ର ପ୍ରକାଶ ପାଇଛି। ଚିତ୍ରରେ ପାକ୍ର ଭୋଲାରି, ଜାକୋକାବାଦ ଏବଂ ମୁଶାଫ ଆଦି ଦେଖିବାକୁ ମିଳିଛି। ଯାହା ଏକ ସଠିକ୍ ଆକ୍ରମଣର ପ୍ରଭାବ ଦର୍ଶାଉଛି।
ଫଟୋଗୁଡ଼ିକ ଭଲ ରିଜୋଲ୍ୟୁସନର ହୋଇଥିବାରୁ ପାକିସ୍ତାନ ବାୟୁସେନାର ଭୋଲାରି ବାୟୁସେନା ଘାଟିର ଏକ ହ୍ୟାଙ୍ଗରରେ ସିଧାସଳଖ ଆଘାତ ହୋଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଏହାବ୍ୟବତୀତ ଆହୁରି ଅନେକ ଫାଟୋରେ ପାକିସ୍ତାନର ହୋଇଥିବା କ୍ଷୟକ୍ଷତିର ପ୍ରମାଣ ରହିଛି।
ଏହାବ୍ୟତୀତ ଏକ ଚୀନ୍ ସାଟେଲାଇଟ୍ ଫାର୍ମ ମଧ୍ୟ କିଛି ଫଟୋ ଜାରି ରହିଛି। ‘ଏକ୍ସ’ରେ ପୋଷ୍ଟ୍ ହୋଇଥିବା ସେହି ଫଟୋରେ ଏହା ସ୍ପଷ୍ଟ ହୋଇଛି ଯେ ପାକିସ୍ତାନର ନୁର ଖାନ ଏୟାରବେସକୁ ମଧ୍ୟ ଟାର୍ଗେଟ କରାଯାଇଥିଲା।