ନୂଆଦିଲ୍ଲୀ: ଅବଶେଷରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରୁ ନିଜର ତମ୍ବୁ ସମେତ ଅନ୍ୟ ସମସ୍ତ ସାଜ ସରଞ୍ଜାମକୁ ଧରି ପଳାୟନ କରିଛି ଚୀନ୍ ସେନା। ପାଙ୍ଗୋଙ୍ଗ ହ୍ରଦ କୂଳରେ ଚୀନ୍ ସେନା ବା ପିପୁଲସ୍ ଲିବରେସନ୍ ଆର୍ମି (ପିଏଲ୍ଏ) ଦ୍ୱାରା ସ୍ଥାପିତ ଶିବିର, ମହଜୁଦ୍ ରହିଥିବା ଟ୍ୟାଙ୍କ୍ ସମେତ ଅନ୍ୟ ସାମରିକ ଯାନ, ଅତିରିକ୍ତ ଡଙ୍ଗା, ଜେଟି ଏବଂ ଷ୍ଟୋରେଜ୍ ଘର ସବୁ ଏବେ ଆଉ ସେଠାରେ ଦେଖିବା ପାଇଁ ମିଳୁନାହିଁ।
ଗତ ଫେବ୍ରୁଆରି ୧୬, ୨୦୨୧ରେ ଉପଗ୍ରହ ଜରିଆରେ ଉଚ୍ଚ ଶକ୍ତିସଂପନ୍ନ କ୍ୟାମେରାରେ ସଂପୃକ୍ତ ଅଞ୍ଚଳଗୁଡ଼ିକ ଉପରୁ ନିଆଯାଇଥିବା ଚିତ୍ରଗୁଡ଼ିକରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରହ କୂଳରେ ଚୀନା ସେନାର ଆଉ କୌଣସି ପ୍ରକାରର ଚିହ୍ନବର୍ଣ୍ଣ ସୁଦ୍ଧା ନ ଥିବା ଦେଖିବାକୁ ମିଳିଛି। ପାଙ୍ଗୋଙ୍ଗ ହ୍ରଦ ଛାଡ଼ି ଚୀନ୍ ସେନା ସଂପୂର୍ଣ୍ଣ ରୂପେ ପଳାୟନ କରିଥିବା ଏହି ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଯାଇଛି। ଖାଲି ଏତିକି ନୁହେଁ, ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ମଧ୍ୟ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରି ବିବାଦୀୟ ଅଞ୍ଚଳରେ ଲଗାଇଥିବା ଚୀନ୍ର ମାନଚିତ୍ର ଏବଂ ଖୋଦିତ କରିଥିବା ସାମରିକ ଚିହ୍ନଗୁଡ଼ିକୁ ମଧ୍ୟ ହଟାଇ ନେଇଛି।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମଇ ମାସରେ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳକୁ ନିଜର ଅଞ୍ଚଳ ବୋଲି ଦାବି କରି ଚୀନ୍ ଯେତେବେଳେ ଭାରତ ସହ ମୁହାଁମୁହିଁ ହୋଇଥିଲା, ସେତେବେଳେ ବିବାଦୀୟ ଅଞ୍ଚଳରେ ବିପୁଳ ସଂଖ୍ୟାରେ ନିଜର ସେନାକୁ ଆଣି ଠୁଳ କରିବା ସହ ଡଜନେ ସରିକି ସାମରିକ କ୍ୟାମ୍ପ, ଷ୍ଟୋରେଜ୍ ଏବଂ ସାମରିକ ଯାନ, ଡଙ୍ଗା, ଟ୍ୟାଙ୍କ୍ ପ୍ରଭୃତିକୁ ଆଣି ମହଜୁଦ୍ କରି ରଖିଥିଲା।
ଅନ୍ୟପକ୍ଷରେ, ପାଙ୍ଗୋଙ୍ଗ ହ୍ରଦ କୂଳରୁ ଚୀନ୍ ସେନାର ଏହି ପଳାୟନ ସଂପର୍କରେ ଚୀନ୍ ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର ସିନିୟର କର୍ଣ୍ଣେଲ ୱୁ କିଆନ୍ କହିଛନ୍ତି ଯେ ଚୀନ୍-ଭାରତ କର୍ପସ କମାଣ୍ଡରସ୍ତରୀୟ ବୈଠକର ନବମ ରାଉଣ୍ଡରେ ଉଭୟ ପକ୍ଷଙ୍କ ସହମତି ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି।