ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜନଶୁଣାଣି ସମୟରେ ଆକ୍ରମଣ କରାଯିବାର ଗୋଟିଏ ଦିନ ପରେ ଗୁରୁବାର ଦିନ ଆଇପିଏସ ଅଧିକାରୀ ସତୀଶ ଗୋଲଚାଙ୍କୁ ଦିଲ୍ଲୀର ନୂତନ ପୁଲିସ୍ କମିସନର୍ ଭାବେ ନିଯୁକ୍ତ କରାଯାଇଛି।
ସରକାରୀ ଆଦେଶରେ କୁହାଯାଇଛି ଯେ, “ଦକ୍ଷ ଅଧିକାରୀଙ୍କ ଅନୁମୋଦନ କ୍ରମେ ବର୍ତ୍ତମାନ ଦିଲ୍ଲୀର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ସତୀଶ ଗୋଲଚା, ଆଇପିଏସ (ଏଜିଏମୟୁଟି: ୧୯୯୨)ଙ୍କୁ ଦିଲ୍ଲୀର ପୁଲିସ କମିସନର ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ସେ ଦାୟିତ୍ୱ ଗ୍ରହଣ କରିବା ତାରିଖରୁ କାର୍ଯ୍ୟକାରୀ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।’’
ପୂର୍ବରୁ ଏହି ଦାୟିତ୍ବରେ ଥିଲେ ଶଶୀ ଭୂଷଣ କୁମାର ସିଂହ। ସଞ୍ଜୟ ଆରୋରାଙ୍କ ଅବସର ପରେ ଜୁଲାଇ ୩୧ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିବା ସିଂହ ବର୍ତ୍ତମାନ ଡିଜି (ହୋମଗାର୍ଡ) ଭାବରେ କାର୍ଯ୍ୟ ଜାରି ରଖିବେ।
ସୂତ୍ରରୁ ପ୍ରକାଶ ଯେ, ଜାତୀୟ ରାଜଧାନୀରେ ଗତ ୨୦ ଦିନ ମଧ୍ୟରେ ବନ୍ଧୁକ ହିଂସା ଏବଂ ଅପରାଧ ବହୁଳ ମାତ୍ରାରେ ବୃଦ୍ଧି ପାଇଛି। ଯାହାକୁ ନିୟନ୍ତ୍ରଣ କରିବାକୁ ଶୀର୍ଷ ସ୍ତରରେ ପରିବର୍ତ୍ତନ କରାଯାଇଛି।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବାସଭବନରେ ଆକ୍ରମଣ ହେବାର ମାତ୍ର ୨୪ ଘଣ୍ଟା ପରେ ଏହି ପଦକ୍ଷେପ ନିଆଯାଇଛି। କାହିଁକି ନା, ଏହି ଆକ୍ରମଣ ଘଟଣା ତାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି।
ସୂଚନାଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ବୁଧବାର ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ କରିଥିବା ସକାରିଆ ରାଜେଶଭାଇ ଖିମ୍ଜିଭାଇଙ୍କୁ ଆଜି ଅର୍ଥାତ୍ ଗୁରୁବାର ପାଞ୍ଚ ଦିନିଆ ପୁଲିସ ରିମାଣ୍ଡରେ ପଠାଯାଇଛି। ଏହି ଘଟଣା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଗୁରୁବାର କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ତାଙ୍କ ସୁରକ୍ଷା ଦାୟିତ୍ୱ ନେଇଛି।
ଜେଡ୍-ବର୍ଗର ସୁରକ୍ଷା ମିଳୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଏବେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା (ଏଏସଏଲ) ମିଳିବାର ସମ୍ଭାବନା ଅଛି। ଏବେ ସାର୍ବଜନୀନ କାର୍ଯ୍ୟକ୍ରମରେ ତାଙ୍କୁ ପୂର୍ବ ଅପେକ୍ଷା ଅଧିକ କମାଣ୍ଡୋ ସୁରକ୍ଷା ଦେବେ। ମୁଖ୍ୟମନ୍ତ୍ରୀଙ୍କୁ କ୍ଷେତ୍ର-ନିର୍ଦ୍ଦିଷ୍ଟ ସୁରକ୍ଷା ମଧ୍ୟ ଦିଆଯାଇଛି, ଯାହା ଅଧୀନରେ ସେ ଯେଉଁ ସ୍ଥାନକୁ ଯିବେ ସେହି ସ୍ଥାନ ଉପରେ କଡ଼ା ନଜର ରଖାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/21/new-project-23-2025-08-21-19-50-17.jpg)