ଭୁବନେଶ୍ବର: ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ପୁଣିଥରେ ମହାବଳ ଫେରାଇ ଆଣିବାକୁ ବନ ବିଭାଗ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଲାଇଛି। ୧୫ଟି ସର୍ତ୍ତ ସହ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ଅନୁମତି ପ୍ରଦାନ କରିଥିବାରୁ ବନ ବିଭାଗ ଗୋଟିଏ ପରେ ଗୋଟିଏ ସର୍ତ୍ତ ପୂରଣ କରୁଛି। ଅଭୟାରଣ୍ୟର କୋର୍‌ ଏରିଆ ଇତିମଧ୍ୟରେ ଗାଁ ଶୂନ୍ୟ ହୋଇଛି। ସେଠା‌ରେ ରହୁଥିବା ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯିବା ସହ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ପ୍ରାୟ ୨୦୦ ହରିଣ/କୁଟୁରା/ସମ୍ବରଙ୍କୁ ସାତକୋଶିଆର କୋର୍‌ ଏରିଆକୁ ସ୍ଥାନାନ୍ତର କରାଯିବ। ତ‌ା’ପୂର୍ବରୁ ସାତକୋଶିଆ ଅଭୟାରଣ୍ୟରେ ସ୍ବତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ(ଏସ୍‌ଟିପିଏଫ୍‌)ଙ୍କୁ ନିୟୋଜିତ ହୋଇଛନ୍ତି। ଏବେ ସେମାନଙ୍କୁ ଅଭୟାରଣ୍ୟର ‘ଟୁଲୁକା’ଠାରେ ତାଲିମ ଦିଆଯାଉଥିବା ପିସିସି ବନ କର୍ମଚାରୀ ଓ ଅବସରପ୍ରାପ୍ତ ସୈନିକଙ୍କୁ ମିଶାଇ ଏସ୍‌ଟିପିଏଫ୍‌ରେ ମୋଟ ୩୦ଜଣ ସଦସ୍ୟ ରହିଛନ୍ତି। ଜଙ୍ଗଲ ଭିତରେ କିଭଳି ଭାବେ ବୁଲିବେ ଏବଂ ବନ୍ୟପ୍ରାଣୀଙ୍କ ସୁ‌ରକ୍ଷାରେ ନିୟୋଜିତ ହେବେ ସେନେଇ ଅବସରପ୍ରାପ୍ତ ସୈନିକଙ୍କ ଦ୍ବାରା ତାଲିମ ଦିଆଯାଉଛି। 

Advertisment

ଏବେ କମାଣ୍ଡିଂ ଟ୍ରେନିଂ ଦିଆଯାଉଥିବା ବେଳେ ଆଗକୁ ଆର୍ମି ଟ୍ରେନିଂ ଦିଆଯିବ। ଶିକାରୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ଧରିବାକୁ ଯିବା ସମୟରେ, କୌଣସି ସ୍ଥାନରେ ରେଡ୍‌ କରାଯିବା ବେଳେ, କାହାକୁ ଗିରଫ କରିବାକୁ ଯିବା ସମୟରେ ବନ କର୍ମଚାରୀଙ୍କ ସହ ଏସ୍‌ଟିପିଏଫ୍‌ର ସଦସ୍ୟମାନେ ସାମିଲ ହେବେ। କାଠ ଚୋରିଠାରୁ ଆରମ୍ଭ କରି ବନ୍ୟଜନ୍ତୁ ଶିକାର ରୋକିବା ଦିଗରେ ଏମାନଙ୍କର ପ୍ରମୁଖ ଭୂମିକା ରହିବ। ୨୦୨୩ରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏସ୍‌ଟିପିଏଫ୍‌ ଗଠନ କରାଯାଇଥିଲା, ଯାହାକି ଏବେ ସଫଳତାର ସହ ଚାଲିଛି। ଦୁଇଟି ଅଭୟାରଣ୍ୟରେ ଏସ୍‌ଟିପିଏଫ୍‌ ନିୟୋଜିତ ହେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି। ପୂର୍ବରୁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏସ୍‌ଟିପିଏଫ୍‌ ନିୟୋଜିତ ହୋଇଛନ୍ତି।

ଅନୁଗୁଳ, ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାକୁ ଲାଗିରହିଥିବା ଏହି ଅଭୟାରଣ୍ୟରେ ୧୬ଟି ବାଘ ଛାଡ଼ିବାକୁ ଏନ୍‌ଟିସିଏ ଅନୁମତି ଦେଇଛି। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଜଙ୍ଗଲରୁ ବାଘ, ବାଘୁଣୀ ଆଣି ସାତକୋଶିଆରେ ଛାଡ଼ିବା ପୂର୍ବରୁ ବାଘଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା, ଅଭୟାରଣ୍ୟ ଭିତରୁ ଜନବସତି ହଟାଇବା, ଜଙ୍ଗଲକୁ ଶିକାରୀମୁକ୍ତ, ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଲ୍ୟାଣ୍ଡସ୍କେପ୍‌ ସୃଷ୍ଟି, ଜଙ୍ଗଲରେ ଖାଦ୍ୟ ଉପଲବ୍ଧ ଉପରେ ଗୁରୁତ୍ବ ଦିଆଯାଇଛି। କୋର ଏରିଆ ଗାଁ ମୁକ୍ତ ହୋଇଥିବାରୁ ସେଠାରେ ମହାବଳ ଛାଡ଼ିବାରେ ଆଉ କୌଣସି ଅସୁବିଧା ନାହିଁ। ‌ତେବେ ମହାବଳ ଅଭୟାରଣ୍ୟ ସାରା ବୁଲିବାକୁ ଥିବାରୁ ସବୁ ଅଞ୍ଚଳରେ ପର୍ଯ୍ୟାପ୍ତ ସୁବିଧା ଯୋଗାଇବାର ଆବଶ୍ୟକତା ଥିବାରୁ ଏବେ ଆନୁସଙ୍ଗିକ କାର୍ଯ୍ୟ ଜାରି ରହିଛି। ବାଘ ଛାଡ଼ିବା ପୂର୍ବରୁ ଜନ ପ୍ରତିନିଧିଙ୍କ ସହଯୋଗ ନିତ୍ୟାନ୍ତ ଜରୁରୀ ହୋଇଥିବାରୁ ବନ ବିଭାଗ ସେଥିପ୍ରତି ଧ୍ୟାନ ଦେଉଛି। ଆଲୋଚନା ମାଧ୍ୟମରେ କିଭଳି ସମସ୍ତ କାର୍ଯ୍ୟ ହୋଇପାରିବ ସେନେଇ ରୂପରେଖ ପ୍ରସ୍ତୁତ ହୋଇଥିବା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।