ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ପରେ ଏବେ ରାଜ୍ୟର ନେତାମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୋଟ ଫଳାଫଳ ନିଜ ସପକ୍ଷରେ ଯିବ କି ନାହିଁ ସେ ନେଇ ଚିନ୍ତାରେ ଅଛନ୍ତି। ସେମାନଙ୍କ ହିସାବରେ ଶନିବାର ଭଳି ଅଶୁଭ ବାର(ମେ’ ୧୨)ରେ ମତଦାନ ହେଉଥିବା ବେଳେ ଅମାବାସ୍ୟା ଭଳି ଅଶୁଭ ତିଥି(ମେ’ ୧୫)ରେ ଭୋଟ ଗଣତି ହେବ। ସୁତରାଂ ମନ୍ଦଫଳ ଆଶଙ୍କା ଦୂର ଉଦ୍ଦେଶ୍ୟରେ ବିକଳ୍ପ ଉପାୟ ବାହାର କରିବା ଲାଗି ସେମାନେ ଏବେ ବିଖ୍ୟାତ ଜ୍ୟୋତିଷଶାସ୍ତ୍ରୀ କି ଭବିଷ୍ୟବାଣୀକାରକ ସାଧୁସନ୍ଥଙ୍କ ଶରଣ ପଶିବା ଶ୍ରେୟ ମଣୁଛନ୍ତି। ଏହି ଘଟଣା ଏବେ ରାଜ୍ୟରେ ରୋଚକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି।
ଏଭଳି ଆଶଙ୍କାରେ ସନ୍ତୁଳି ହେଉଥିବା ନେତାଙ୍କ ମଧ୍ୟରେ ବର୍ତ୍ତମାନର ଅନେକ ବିଧାୟକ ମଧ୍ୟ ରହିଛନ୍ତି। ଜ୍ୟୋତିର୍ବିଦ୍ୟାରେ ପୂରା ଭରସା ରଖିଥିବା ଧର୍ମ ନିରପେକ୍ଷ ଜନତା ଦଳ(ଜେଡିଏସ୍) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା ତାଙ୍କର ସବୁଠୁ ବିଶ୍ୱସ୍ତ ଜ୍ୟୋତିଷଙ୍କୁ ପରାମର୍ଶ କରିବା ଆରମ୍ଭ କରିଦେଲେଣି। ତାଙ୍କ ଦଳର ବିଜୟ ସମ୍ଭାବନାରେ ଯେପରି କଳାମେଘ ଘୋଟି ନଆସେ, ସେଥିପାଇଁ ଯାବତୀୟ ଗ୍ରହପୂଜା ସମେତ ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କଲେଣି ବୋଲି ତାଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି। ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ ରଖୁଥିବା ଦେବଗୌଡ଼ାଙ୍କ ବଡ଼ପୁଅ ଏଚ୍ଡି ରେବନ୍ନା ମଧ୍ୟ ତାମିଲନାଡୁର ଜଣେ ନାମୀ ଜ୍ୟୋତିଷଙ୍କୁ ପରାମର୍ଶ କରିଛନ୍ତି। ମେ’ ୧୨ ଓ ୧୫ ଦୁଇଦିନ ଗ୍ରହଶାନ୍ତି ଯଜ୍ଞ କରିବାକୁ ସେ ପ୍ରସ୍ତୁତ ହେଉଥିବା ଜଣାଯାଇଛି। ଏଣେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଯଦିଓ ସେସବୁରେ ବିଶ୍ୱାସ କରନ୍ତିନି, ତେବେ ତାଙ୍କ ପତ୍ନୀ ପାର୍ବତୀ ପୁଅ ଏବଂ ସ୍ୱାମୀଙ୍କର ବିଜୟ ସୁନିଶ୍ଚିତ କରିବା ଲାଗି କୌଣସି ଶୁଭ ଦିନରେ ଠାକୁରଙ୍କ ଜଳଶାୟୀ କରୁଥିବା ଶୁଣିବାକୁ ମିଳିଛି। ସେହିପରି ଜ୍ୟୋତିର୍ବିଦ୍ୟାରେ ଦୃଢ଼ ବିଶ୍ୱାସ ରଖୁଥିବା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ୍ ୟେଦୁରପ୍ପା ତାଙ୍କର ୨୦୧୧ ମସିହାରେ ମୁଖ୍ୟମନ୍ତ୍ରିତ୍ୱ ହରାଇବା ଘଟଣାକୁ ଗୌଡ଼ା ପରିବାରର ଗୁଣିଗାରେଡ଼ିକୁ ଦାୟୀ କରିଥିଲେ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମାସକ ତଳେ ସେ ଜଣେ ନାଗାସାଧୁଙ୍କୁ ଘରକୁ ଡାକି ଆଶୀର୍ବାଦ ଭିକ୍ଷା କରିଥିଲେ। ଅନେକ ନେତା ମଧ୍ୟ ଭଲ ଯୋଗ ପାଇଁ ମନ୍ଦିର ଚୂଡ଼ାରେ ଉଜୁଥିବା ନେତ ହାସଲ ଲାଗି ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି। ନୟାକନାହାଟ୍ଟି ସ୍ଥିତ ଚିତ୍ରଦୁର୍ଗା ମନ୍ଦିର ନେତ ବା ମୁକ୍ତି ଧ୍ୱଜାକୁ ଜଣେ ନେତା ୭୨ ଲକ୍ଷ ଟଙ୍କା ନିଲାମରେ ଆଣିଥିବା ଜଣାଯାଇଛି।