ଦୁର୍ନୀତି ହେଉଥିବା ନେଇ ମୁହଁ ଖୋଲିବାରୁ ମୋତେ ଗୋଆ ରାଜ୍ୟପାଳ ପଦରୁ ବଦଳାଇ ଦିଆଗଲା: ସତ୍ୟପାଲ ମଲିକ

ନୂଆଦିଲ୍ଲୀ: ମୁହଁ ଖୋଲିଲେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ଦୁର୍ନୀତି ଚାଲିଥିବା ନେଇ ସତ କହିବାରୁ ମୋତେ ହଟାଇ ଦିଆଯାଇଥିବା ଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମେଘାଳୟ ରାଜ୍ୟପାଳ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ, ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ଏବେ ବିଜେପିକୁ ଖୁଲମଖୁଲା ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଗୋଆରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ମୋଦୀ ସରକାରଙ୍କୁ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ପୂର୍ବରୁ ସତ୍ୟପାଲ ଗୋଆର ରାଜ୍ୟପାଳ ରହିଥିବାରୁ ତାଙ୍କର ଏଭଳି ଏକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କର ଏଭଳି ବୟାନ ପରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କୁ ବଡ଼ ସୁଯୋଗ ମିଳିଛି ।

ସତ୍ୟପାଲ କହିଛନ୍ତି, ଗୋଆରେ ଥିବା ବିଜେପି ସରକାର କୋଭିଡ ମୁକାବିଲା ସଠିକ ଢଙ୍ଗରେ କରିପାରିନାହାନ୍ତି । କରୋନା କାଳରେ ଗୋଆ ସରକାର ଯାହା କିଛି ବି କରିଛନ୍ତି, ସବୁଥିରୁ ଦୁର୍ନୀତର ଗନ୍ଧ ଆସୁଛି । ଗୋଆ ସରକାରଙ୍କ ଉପରେ ଏଭଳି ଅଭିଯୋଗ ଆଣିବା କାରଣରୁ ମୋତେ ଗୋଆ ରାଜ୍ୟପାଳ ପଦରୁ ବଦଳାଇ ଦିଆଯାଇଥିଲା। ମୁଁ ଚରଣ ସିଂଙ୍କ ସହ କାମ କରିଛି, ସମୟ ବିତାଇଛି । ତେଣୁ ଦୁର୍ନୀତିକୁ ସହଜରେ ବରଦାସ୍ତ କରିପାରିବି ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଭୁଲ କରୁଛନ୍ତି, କିନ୍ତୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ବିମାନବନ୍ଦର ପାଖରେ ଏକ ବଡ଼ ପ୍ରୋଜେକ୍ଟର କାମ ଚାଲୁଥିବା ବେଳେ ଅନେକଗୁଡିଏ ଟ୍ରକର ବ୍ୟବହାର ହେଉଥିଲା । କୋଭିଡସ୍ଥିତିକୁ ଦେଖି ଏହି କାର୍ଯ୍ୟକୁ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସରକାର ଏକଥାକୁ କର୍ଣ୍ଣପାତ କରିନଥିଲେ, ଯାହାଫଳରେ ପରବର୍ତ୍ତୀ ସମୟରେ ଏହି ସ୍ଥାନ କରୋନାର ହଟସ୍ପଟ ପାଲଟିଯାଇଥିଲା । ଏହାସହ ସତ୍ୟପାଲ କହିଛନ୍ତି, ଆଜି ଦେଶରେ ଲୋକେ ସତ କହିବାକୁ ଡରୁଛନ୍ତି । କିନ୍ତୁ ମୋତେ ଯାହା ଠିକ୍ ଲାଗିଥିଲା ମୁଁ ତାହା କରିଥିଲି । ଏପରିକି ଏବେ ଗୋଆରେ ଥିବା ସରକାର ରାଜଭବନ ଭାଙ୍ଗି ନୂଆ ରାଜଭବନ ନିର୍ମାଣ କରିବାକୁ ଚାହୁଁଛନ୍ତି । କିନ୍ତୁ ବାସ୍ତବରେ ଏହାର କୌଣସି ଆବଶ୍ୟକତା ନାହିଁ । ତେବେ ଏହି ରାଜଭବନ ନିର୍ମାଣ ପାଇଁ ସେତେବେଳେ ପ୍ରସ୍ତାବ ଅଣାଯାଇଥିଲା ଯେବେ ଗୋଆ ସରକାରଙ୍କ ଉପରେ ଆର୍ଥିକ ଚାପ ଅଧିକ ରହିଥିଲା । ଆଗରୁ ରାଜନୀତି ଏକ ଲଢେଇ ଥିଲା, ହକର ଲଢେଇ, ଲୋକଙ୍କ ପାଇଁ ଲଢେଇ । କିନ୍ତୁ ତାପରେ ରାଜନୀତି ବ୍ୟବସାୟ ହୋଇଗଲା।  ଆଉ ଏବେ ରାଜନୀତି ବ୍ୟବସାୟ ସହ ଦୁର୍ନୀତିର ଗନ୍ତାଘର ପାଲଟିଛି ।  ତେବେ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ । ତେଣୁ ବିଳମ୍ବରେ ହେଲେ ମଧ୍ୟ ମୋଦୀଜୀ ନିଶ୍ଚୟ ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ।

ସମ୍ବନ୍ଧିତ ଖବର