ରାହୁଲଙ୍କୁ ଅଯୋଗ୍ୟ ଘୋଷଣାର ପ୍ରତିବାଦ: କଂଗ୍ରେସର ସତ୍ୟାଗ୍ରହ

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ପାର୍ଲାମେଣ୍ଟ ସଦସ୍ୟତା ରଦ୍ଦ ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ରବିବାର ଦେଶବ୍ୟାପୀ ସତ୍ୟାଗ୍ରହ ପାଳନ କରାଯାଇଛି। ସବୁ ରାଜ୍ୟରେ ଗାନ୍ଧୀ ପ୍ରତିମୂର୍ତ୍ତି ଆଗରେ କଂଗ୍ରେସ ସତ୍ୟାଗ୍ରହରେ ବସିଥିବା ବେଳେ ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ ପ୍ରତିବାଦ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ସତ୍ୟାଗ୍ରହ ରବିବାର ଦିନ ୧୦ଟାରେ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହୋଇଥିଲା।

ଦିଲ୍ଲୀରେ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ବରିଷ୍ଠ ନେତା ପି ଚିଦମ୍ବରମ୍, ସଲମାନ ଖୁର୍ସିଦ ପ୍ରମୁଖ ସତ୍ୟାଗ୍ରହରେ ଯୋଗ ଦେବା ପାଇଁ ଦିଲ୍ଲୀର ରାଜଘାଟରେ ପହଞ୍ଚିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ପ୍ରିୟଙ୍କା ରାଜଘାଟରେ ସତ୍ୟାଗ୍ରହ କରିବା ପାଇଁ ବସିଥିବା ବେଳେ ସେମାନଙ୍କୁ ସେଠାରେ ଏଥିପାଇଁ ଅନୁମତି ଦିଆଯାଇ ନ ଥିଲା।

ଗର୍ଜିଲେ ପ୍ରିୟଙ୍କା: ସହିଦ୍‌ଙ୍କ ପୁଅକୁ ମିର୍‌ ଜାଫର୍‌ କୁହାଯାଉଛି
ବିଶ୍ବର ସବୁଠାରୁ ବଡ଼ ଶିକ୍ଷାନୁଷ୍ଠାନରେ ପଢ଼ିବା ସତ୍ତ୍ବେ ରାହୁଲଙ୍କୁ ‘ପପ୍ପୁ’ କୁହାଯାଉଛି

ଆୟୋଜିତ ଜନସଭାରେ ପ୍ରିୟଙ୍କା ତାଙ୍କ ଉଦ୍‌ବୋଧନରେ କହିଥିଲେ- ‘ତୁମେ (ମୋଦୀ) ପରିବାରବାଦ କଥା କହୁଛ। ମୁଁ ଜାଣିବାକୁ ଚାହେ ଭଗବାନ୍ ରାମ କିଏ? ସେ ପରିବାରବାଦୀ ନା ପାଣ୍ଡବମାନେ ପରିବାରବାଦୀ? ଆମ ପରିବାର ଦେଶ ପାଇଁ ଲଢ଼ିଥିଲେ ବୋଲି ଆମେ କ’ଣ ଲଜ୍ଜାବୋଧ କରିବୁ? ମୋ ପରିବାର ରକ୍ତ ଦେଇ ଏ ଦେଶରେ ଗଣତନ୍ତ୍ରକୁ ପୁଷ୍ଟ କରିଛନ୍ତି।’ ରାହୁଲଙ୍କ ଅଯୋଗ୍ୟ ଘୋଷଣାକୁ ନେଇ ପ୍ରିୟଙ୍କା କହିଲେ- ‘ମୋ ବାପାଙ୍କୁ ପାର୍ଲାମେଣ୍ଟରେ ଅପମାନିତ କରାଯାଇଥିଲା। ମୋ ଭାଇଙ୍କୁ ମିର୍‌ ଜାଫର କୁହାଯାଉଛି। ତୁମ ମନ୍ତ୍ରୀମାନେ ମୋ ମାଆଙ୍କୁ ପାର୍ଲାମେଣ୍ଟରେ ଅପମାନିତ କରୁଛନ୍ତି। ଆପଣଙ୍କର ଜଣେ ମୁଖ୍ୟମନ୍ତ୍ରୀ କହିଲେ, ରାହୁଲ ଗାନ୍ଧି ତାଙ୍କ ବାପା କିଏ ବି ଜାଣି ନ ଥିବେ। କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ରାହୁଲ ଗାନ୍ଧି ବିଶ୍ବର ଦୁଇଟି ପ୍ରମୁଖ ଶିକ୍ଷାନୁଷ୍ଠାନ (ହାର୍ଭାର୍ଡ ଓ କେମ୍ବ୍ରିଜ୍‌)ରେ ଅଧ୍ୟୟନ କରିଥିଲେ ମଧ୍ୟ ତାଙ୍କୁ ପପ୍ପୁ କୁହାଯାଉଛି’ ଏଥି ସହ ପ୍ରିୟଙ୍କା କହିଲେ ଯେ ‘ଅହଙ୍କାରୀ ରାଜାଙ୍କୁ ଜନତା ଜବାବ ଦେବେ’।

ରାହୁଲ ଗାନ୍ଧିଙ୍କ ଅଯୋଗ୍ୟତା
ସୂଚନାଯୋଗ୍ୟ, ଗୁଜରାଟର ଏକ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨୦୧୯ର ଏକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷର ଜେଲ ଦଣ୍ଡାଦେଶ ଶୁଣାଇବା ପରେ ଶୁକ୍ରବାର ତାଙ୍କର ପାର୍ଲାମେଣ୍ଟ ସଦସ୍ୟତା ରଦ୍ଦ ହୋଇଯାଇଥିଲା। ଏହି ଅଯୋଗ୍ୟ ଘୋଷଣା ପରେ ୪ ଥର ଏମ୍‌ପି ହୋଇଥିବା ୫୨ ବର୍ଷୀୟ ଗାନ୍ଧି ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଉଚ୍ଚତର କୋର୍ଟ ତାଙ୍କ ଦଣ୍ଡାଦେଶ ଉପରେ ରୋକ ନ ଲଗାଇଲେ ଆଗାମୀ ୮ ବର୍ଷ ଯାଏ ସେ ନିର୍ବାଚନ ଲଢ଼ିପାରିବେ ନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ ଭୟଭୀତ: ରାହୁଲ
ରାହୁଲ ଗାନ୍ଧି କହିଛନ୍ତି ଯେ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପଛରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ତାଙ୍କ ପ୍ରତି ଭୟ। ପାର୍ଲାମେଣ୍ଟର ଆଗାମୀ ଅଧିବେଶନରେ ସେ ଆଦାନି ପ୍ରସଙ୍ଗରେ ସରକାରଙ୍କୁ ଘେରିବାର ସମ୍ଭାବନା ଥିବାରୁ ‘ମୂଳୁ ମାଇଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି’ ନୀତି ଧରିଛି ବିଜେପି। ଆଦାନି ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ଅନ୍ୟ ଆଡ଼େ ହଟାଇବା ପାଇଁ ବିଜେପି ଏହି ଚକ୍ରାନ୍ତ କରିଛି।

କଂଗ୍ରେସ କହିଛି, କେବଳ ରାହୁଲ ଗାନ୍ଧି ନୁହନ୍ତି କୋଟିକୋଟି କଂଗ୍ରେସ ସମର୍ଥକ ତଥା ସାଧାରଣ ଜନତା ରାହୁଲଙ୍କ ସତ୍ୟ ପାଇଁ ଏହି ଲଢ଼େଇରେ ତାଙ୍କର ସାଥ୍ ଦେବେ। ଆଜି ସମସ୍ତ ରାଜ୍ୟ ଓ ଜିଲ୍ଲା ମୁଖ୍ୟାଳୟରେ କଂଗ୍ରେସ ପକ୍ଷରୁ ଦିନ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ସତ୍ୟାଗ୍ରହ ଓ ପ୍ରତିବାଦର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର