ଜମ୍ମୁ କଶ୍ମୀରର ନୂଆ ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌

ଟଣ୍ଡନ ବିହାର, ସତ୍ୟଦେବ ହରିୟାଣା ରାଜ୍ୟପାଳ

ନୂଆଦିଲ୍ଲୀ: ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଜମ୍ମୁ କଶ୍ମୀର ଦାୟିତ୍ୱରେ ଥିବା ରାଜ୍ୟପାଳ ଏନ୍‌ ଏନ୍‌ ଭୋରାଙ୍କ କାର୍ଯ୍ୟକାଳ ସଂପ୍ରସାରଣ କରାଯିବ ନାହିଁ। ଭୋରାଙ୍କ ସ୍ଥାନରେ ଏବେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ବିଜେପି ସାଂସଦ ଏବଂ ବିଜେପିର ଜାତୀୟ ଉପାଧ୍ୟକ୍ଷ ତଥା ବିହାର ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ଙ୍କୁ ଆଜି ଜମ୍ମୁ କଶ୍ମୀରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଗତ ଜୁନ୍‌ ୨୦ ତାରିଖରୁ ଜମ୍ମୁ କଶ୍ମୀରରେ ପିଡ଼ିପି-ବିଜେପି ମେଣ୍ଟ ସରକାରରୁ ବିଜେପି ଓହରିଯିବା ପରେ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ତେବେ ଜୁନ୍‌ ୨୮ ତାରିଖରେ ଭୋରାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଅମରନାଥ ଯାତ୍ରା ପାଇଁ ରାଜ୍ୟରେ ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ଭୋରାଙ୍କୁ ହିଁ ରାଜ୍ୟପାଳ ପଦରେ ରଖିବାକୁ ନିଷ୍ପତ୍ତି ନେଇଥିଲେ।
ମଲିକ୍‌ଙ୍କ ନିଯୁକ୍ତି ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଘନିଷ୍ଠ ସହଯୋଗୀ ଲାଲ୍‌ ଜି ଟଣ୍ଡନ୍‌ଙ୍କୁ ବିହାର ରାଜ୍ୟପାଳ ଏବଂ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ହରିୟାଣା ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ସେହିପରି ତ୍ରିପୁରା ରାଜ୍ୟପାଳ ତଥାଗତ ରାୟଙ୍କୁ ବଦଳି କରାଯାଇ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ହରିୟାଣା ରାଜ୍ୟପାଳ କପ୍ତନ ସିଂହ ସୋଲାଙ୍କିଙ୍କୁ ବଦଳି କରାଯାଇ ତ୍ରିପୁରା ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ବେବି ରାଣୀ ମୌର୍ଯ୍ୟଙ୍କୁ ଉତ୍ତରାଖଣ୍ଡ ରାଜ୍ୟପାଳ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର