ନୂଆଦିଲ୍ଲୀ: ଦୀର୍ଘଦିନ ଅସୁସ୍ଥ ରହିବା ପରେ ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ତାଙ୍କ ବ୍ୟକ୍ତିଗତ ସଚିବ କେଏସ୍ ରାଣାଙ୍କ ସୂଚନା ଅନୁଯାୟୀ, ଏହି ୭୯ ବର୍ଷୀୟ ନେତା ଅପରାହ୍ଣ ୧ଟା ୧୦ ମିନିଟ୍ରେ ନୂଆଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଅଗଷ୍ଟ ୨୦୧୮ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ମଲ୍ଲିକ ତତ୍କାଳୀନ ଜମ୍ମୁ-କାଶ୍ମୀର ରାଜ୍ୟର ଶେଷ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳରେ ହିଁ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରି ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ଓ ଲଦାଖରେ ପରିଣତ କରିଥିଲେ। ଡ. ରାମ ମନୋହର ଲୋହିଆଙ୍କ ସମାଜବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ମଲ୍ଲିକ ୧୯୬୫-୬୬ରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ୧୯୬୬-୬୭ରେ ମିରଟ କଲେଜ ଛାତ୍ର ସଂସଦର ସଭାପତି ଓ ପରେ ୧୯୬୮-୬୯ରେ ତତ୍କାଳୀନ ମିରଟ ବିଶ୍ୱବିଦ୍ୟାଳୟ (ବର୍ତ୍ତମାନ ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟ)ର ଛାତ୍ର ସଂସଦ ସଭାପତି ଭାବରେ କାର୍ଯ୍ୟ କରିଥିଲେ। ୧୯୭୪ ମସିହାରେ ଭାରତୀୟ କ୍ରାନ୍ତି ଦଳ ଟିକେଟ୍ରେ ବାଗପତ ବିଧାନସଭା ଆସନରୁ ବିଜୟୀ ହୋଇ ମଲ୍ଲିକ ଉତ୍ତରପ୍ରଦେଶ ବିଧାନସଭାରେ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଥିଲେ। ୧୯୭୫ ମସିହାରେ ସେ ନବଗଠିତ ଲୋକଦଳର ସର୍ବଭାରତୀୟ ସାଧାରଣ ସମ୍ପାଦକ ହୋଇଥିଲେ। ୧୯୮୦ ମସିହାରେ ସେ ଲୋକଦଳରୁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ମଲ୍ଲିକ ୧୯୮୪ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ଦୁଇ ବର୍ଷ ପରେ ପୁଣି ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ତେବେ ବୋଫର୍ସ ଦୁର୍ନୀତିରେ ନିରାଶ ହୋଇ ସେ ୧୯୮୭ରେ ଉଭୟ କଂଗ୍ରେସ ଓ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ସେହି ବର୍ଷ ସେ ‘ଜନମୋର୍ଚ୍ଚା’ ଗଠନ କରିଥିଲେ, ଯାହା ପରେ ୧୯୮୮ରେ ଜନତା ଦଳରେ ମିଶିଯାଇଥିଲା। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ, ଜନ-ଜାଗରଣ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ଏବଂ ୧୯୮୭ରୁ ୧୯୯୧ ପର୍ଯ୍ୟନ୍ତ ଜନତା ଦଳର ସଚିବ ଓ ମୁଖପାତ୍ର ଭାବରେ କାର୍ଯ୍ୟ କରିଥିଲେ। ୧୯୮୯ରେ ସେ ଆଲିଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ସକ୍ରିୟ ରାଜନୀତିରୁ କିଛି ସମୟ ବିରତି ପରେ ମଲ୍ଲିକ ୨୦୦୪ରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇ ବାଗପତ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ସେ ଉତ୍ତରପ୍ରଦେଶ ବିଜେପିର ଉପାଧ୍ୟକ୍ଷ (୨୦୦୫-୦୬), ବିଜେପି କୃଷକ ମୋର୍ଚ୍ଚା (୨୦୦୯)ର ସର୍ବଭାରତୀୟ ପ୍ରଭାରୀ ଏବଂ ୨୦୧୨ରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ୨୦୧୪ ଲୋକସଭା ନିର୍ବାଚନ ପାଇଁ ଦଳର କୃଷି ଇସ୍ତାହାର ପ୍ରସ୍ତୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।
୨୦୧୭ରେ ମଲ୍ଲିକଙ୍କୁ ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା ଏବଂ ୨୦୧୮ ଅଗଷ୍ଟ ୨୩ରେ ସେ ଜମ୍ମୁ-କାଶ୍ମୀରର ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ରାଜନୈତିକ କ୍ୟାରିୟରରେ ଶ୍ରୀ ମଲ୍ଲିକ ଉତ୍ତରପ୍ରଦେଶ ବିଧାନସଭା ସଦସ୍ୟ (୧୯୭୪-୭୭ ), ଉଭୟ ରାଜ୍ୟସଭା (୧୯୮୦-୮୪, ୧୯୮୬-୮୯) ଓ ଲୋକସଭା (୧୯୮୯-୯୧) ସଦସ୍ୟ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ (ଏପ୍ରିଲ୍-ନଭେମ୍ବର ୧୯୯୦) ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ଯ୍ୟ କରିଥିଲେ। ସେ ରାଜ୍ୟସଭାରେ ଅଧ୍ୟକ୍ଷ ପ୍ୟାନେଲ୍ ଓ ଲୋକସଭାରେ ବାଚସ୍ପତି ପ୍ୟାନେଲ୍ର ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏଥିସହିତ ୨୧ ମାର୍ଚ୍ଚ ୨୦୧୮ରୁ ୨୮ ମେ ୨୦୧୮ ପର୍ଯ୍ୟନ୍ତ ସେ ୨ ମାସ ୭ ଦିନ ଓଡ଼ିଶାର ରାଜ୍ୟପାଳ ଦାୟିତ୍ବରେ ଥିଲେ।